ଭକତ ବନ୍ଧୁ ହେ କୃପାସିନ୍ଧୁ
ଭକତ ବନ୍ଧୁ ହେ କୃପାସିନ୍ଧୁ
କୃପାସିନ୍ଧୁ,ଭକ୍ତ-ବନ୍ଧୁ ଦୀନବନ୍ଧୁ
ସର୍ବବ୍ୟାପୀ ନିରାକାର
ସୃଷ୍ଟିର ମହାନାୟକ ଅନ୍ତର୍ଯ୍ୟାମୀ
ପୁଣି ଆକାର ସାକାର
କେତେ ଅବତାର ଯୁଗ ପରେ ଯୁଗ
ସବୁ ତୁମରି ଭିଆଣ
ଏ କଳି କାଳରେ ଦାରୁରୁପି ବ୍ରହ୍ମ
ରହସ୍ୟ ତୁମେ ହିଁ ଜାଣ
ଭକ୍ତ କିଏ ଆଉ ଭକ୍ତିର ରହସ୍ୟ
ବୁଝିବା ଶକ୍ତି ବାହାରେ
ଯିଏ ବା ତୁମର ଶରଣେ ଆସିଲେ
ଭକ୍ତ ହୁଏ କି ଅଚିରେ?
ଯଦି ତୁମେ କୃପାସିନ୍ଧୁ ଦୀନବନ୍ଧୁ
କୃପଣ କିମ୍ପାଇ ଏତେ!
କୃପା ଦୃଷ୍ଟି ଆକର୍ଷଣ କରିବାକୁ
ଡାକୁଅଛି ଅବିରତେ
ଶରଣ ରକ୍ଷଣ ମହାବାହୁ ବୋଲି
ଶୁଣିଛି ଭକ୍ତ ମୁଖରେ
ମୋ ଭକତି କିବା ଗଣା ହୁଏ ନାହିଁ
ଭକ୍ତ ଥିବା
ତାଲିକାରେ!
କୃପାସିନ୍ଧୁ ଦୀନବନ୍ଧୁ ଭକ୍ତ-ବନ୍ଧୁ
ବନ୍ଧୁତ୍ୱ ଗ୍ରହଣ ହେଉ
ଅଧମ ଭକ୍ତର ନିବେଦନ ପ୍ରତି
କୃପା ଦୃଷ୍ଟି ରହି ଥାଉ
ଏତେ ବଡ ପ୍ରଭୁ ଥାଉ ଥାଉ କିଆଁ
ଦୁଃଖ ମୋର ନ ଘୁଞ୍ଚାଅ
ବଡ ଦେଉଳରେ ବଡ ପଣିଆରେ
ବଡ ଠାକୁର ବୋଲାଓ
ବଡ ଦାଣ୍ଡେ ଚାଲି ବଡ ନେତ ଦେଖି
ବଡ ଆଶା ଅଛି ରଖି
ବଡ ବଡ ଆଖି ଖୋଲି ରହି ଅଛ
ଦେଖ ଟିକିଏ ନିରେଖି
ବଡ ଠାକୁର ହେ କୃପା ର ସାଗର
ଧୋଇ ଦିଅ ମୋର ଦୁଃଖ
ଭକ୍ତ-ବନ୍ଧୁ ନାମ ରହୁ ଯୁଗେ ଯୁଗେ
ଭକ୍ତିର ମହତ୍ତ୍ଵ ରଖ
ଏ ଅଧମ ଭକ୍ତ କଳି କଳୁଷରେ
ହୋଇଅଛି କଳୁଷିତ
ଭକ୍ତ-ବନ୍ଧୁ ଭାବ ରଖ ହେ ମାଧବ
ଶ୍ରୀଚରଣେ ପ୍ରଣିପାତ।