ଭିଟାମାଟି ଆମ ଗଲା ଉଜୁଡି
ଭିଟାମାଟି ଆମ ଗଲା ଉଜୁଡି


ଭୋଦେଇ ବଢିରେ ପାଣି ଉଛୁଳିଲା
ନଈବନ୍ଧେ ହେଲା ଘାଇ
ନଈକୂଳିଆ ମୋ ଛୋଟିଆ ଗାଆଁକୁ
ବଢି ପାଣି ନେଲା ଧୋଇ ।
ହସ ଲୁଟିନେଲା ବରଷା ବତାସ
ସୁଖ ଲୁଟିନେଲା ସୁଅ
ଆଖିରେ ଆଖିଏ ତତଲା ଲୁହରେ
ବଳେଇ ପଡିଲା କୋହ।
ଭିଟାମାଟି ଗଲା ପାଣିରେ ଉଜୁଡି
ଦେଖିଲେ ଥରୁଛି ଦେହ
କାନ୍ଥ ପଡିଗଲା ଚାଳ ଭାଷିଗଲା
ମିଳିଲାନି କୁଟା ଖିଅ ।
ଛପର ଘରସେ ଉଆସ ମୋ ପାଇଁ
କେତେ ହସ କେତେ ଖୁସି
ସାତ ପୁରୁଷର ସାଇତା ସପନ
ପାଣିରେ ଯାଇଛି ଭାସି ।
ଆଶରା ହରାଇ ସଭିଏଁ ଖୋଜିଲୁ
ମୁଣ୍ଡ ଗୁଞ୍ଜିବାକୁ ଥାନ
ଆହାର ପାଇଁ କି ଆକାଶକୁ ଚାହିଁ
ବିତିଲା ଆମରି ଦିନ ।
କ୍ଷେତ ଉଜୁଡିଲା ଫସଲବି ଗଲା
ମାଟି ହେଲା ଶିରିହୀନ
ଉଜୁଡା ସ°ସାର ସଜାଡିବା ପାଇଁ
ଦାନୀବି ଖୋଜଇ ଦାନ ।
ମଉଳିଯାଇଛି ଆମ ଗାଁ ରଙ୍ଗ
ସବୁଜିମା ଗଲା ଧୋଇ
ଭୋଦେଇ ବଉଦ ବାଦେଇ ବରଷା
କାଳ ହେଲା ଆମ ପାଇଁ ।
ବଢି ଛାଡିଗଲା ଭିଟା ମାଟି ଆମ
କରିଦେଇ ଛାରଖାର
ଭାଗ୍ୟକୁ ଆଦେରି ବସିଛୁ ଆମେ ରେ
ଗଢିବାକୁ ନୂଆ ଘର।