ଭିନ୍ନ ଏକ ପିତାକୁ ପ୍ରଶ୍ନ
ଭିନ୍ନ ଏକ ପିତାକୁ ପ୍ରଶ୍ନ
ପିତା ଧର୍ମ ପିତା ସ୍ଵର୍ଗ
ପିତା ହି ପରମ ତପ
ପିତରି ପ୍ରୀତିମାପନେ
ପ୍ରିୟନ୍ତି ସର୍ବ ଦେବତା ।
କାହିଁକି କେଜାଣି ଏ ଶ୍ଳୋକ
ଆଉ ତୁମେ
ତୁମେ ମୋର ପିତା
ହେଲେ,
ଏ ଶ୍ଳୋକ ପଢି ତୁମକୁ ଚାହିଁଲେ
ଅନେକ ପ୍ରତିବାଦ-ଅନେକ ପ୍ରଶ୍ନବାଚୀ
ମନକୁ ଛନ୍ଦି ଦିଏ ।
କାହିଁକି ନା_
ତୁମେ ମୋତେ ଜୀବଦାନ
ଦେଇଥିବା ପିତା ବୋଲି
ମୋ ମାଆ କୁହେ-
ହେଲେ,
ମୋ ଅନୁଭବରେ
ତୁମ ପିତୃତ୍ବ ଛାପ
ମୁଁ ଖୋଜି ପାଏନି ।
କାହିଁକି ନା_
ମୋ କଅଁଳ ବୟସେ ମୁଁ ଦେଖିଛି
ମୋ ପାଟିରେ ଦାନା ଦେବାପାଇଁ
ମାଆ ମୋର ହାଣ୍ଡିଶାଳେ
ହାଣ୍ଡି ଦରାଣ୍ଡି ଲୁହ ଢ଼ାଳୁ ଥିବା ବେଳେ
ତୁମେ ତାର ମଙ୍ଗଳସୂତ୍ର
ଛଡାଇ ନିଅ
ମାଆର ଅସହାୟ ପ୍ରତିବାଦ
ମୋ ମନରେ ଆଙ୍କିଦିଏ
ଅଜସ୍ର ପ୍ରଶ୍ନବାଚୀ ।
ନା, ତାର ଉତ୍ତର ପାଇଛି
ନା, ପ୍ରଶ୍ନ ନ ଉଠିବା ପାଇଁ
ତୁମେ ପ୍ରୟାସ କରିଛ
ତାପରେ ଭାବେ
ସତରେ ତୁମେ କଣ ମୋ ବାପା ?
ତୁମ ଭିତରେ ଯେତେବେଳେ
ଗୋଟିଏ କର୍ମଯୋଗୀ ପିତାକୁ ଖୋଜେ
ସେତେବେଳେ
ତୁମ ନିଶାଶକ୍ତ ପାଦ
ଘର ଭିତରକୁ ପଶିଆସେ
>ଅନେକ ଅଶ୍ଳୀଳ ଶଦ୍ଦ ମାନଙ୍କୁ
ସାଥିରେ ନେଇ
ଆଉ,
ମୋ ଉପରେ ବର୍ଷି ଯାଏ
ପିଠି ଆଉ ଗାଲରେ ଛାଡିଯାଏ
ତାର ସ୍ଵାକ୍ଷର ମାନଙ୍କୁ ।
ମାଆ ମୋର ପର ଘରେ କରି
ଖାତା ପେନ୍ କିଣିବାକୁ
ସାତ ସନ୍ଧିରେ ଦି ପଇସା
ଲୁଚାଇ ରଖେ
ହେଲେ,
ତୁମେ ସେହି ପିତା
ଯିଏ କୌଶଳରେ
ପଇସା ଲୁଚାଇ ନେଇ
ମାଆର କୁନି କୁନି ସ୍ୱପ୍ନ ମାନଙ୍କୁ
ଦଳି ଚକଟି ହତ୍ୟା କରୁଥାଏ ।
ମୋର ଏବେ ବି ମନେ ଅଛି
ମୋ ହାତ ଧରି ଚାଲ ଶିଖାଇବା ବଦଳରେ
କେତେଥର ଅଦରକାରୀ ବସ୍ତୁଟେ ଭଳି
ବାହାରକୁ ଫୋପାଡି ଦେଇଛ
ସତରେ ତୁମେ କଣ ମୋର ପିତା ?
ମୋ ମାଆକୁ ତ ଏ ଦୁନିଆରେ
ରହିବାକୁ ଦେଲନି -
ସ୍ଵର୍ଗ ସୁଖ ସେ ଚାହୁଁ ନଥିଲା
ହେଲେ,
ତା ଜୀବନ ନର୍କ କରିଦେଲ
ମୋ କୁନି ବୟସର
ପାଠପଢ଼ା ସ୍ବପ୍ନ
ତୁମ ନିଶା ଶକ୍ତ ଓଠର ଧିକ୍କାରେ
ପୋଡି ଜଳି ପାଉଁଶ ହୋଇଲା_
ତେବେ ତୁମେ କୁହ-
ମୁଁ କେମିତି କହିବି
ତୁମେ ମୋ ଧର୍ମ
ତୁମେ ମୋ ତପ
ତୁମେ ମୋ ସ୍ଵର୍ଗ
ତୁମେ କୁହ-
ତୁମକୁ ମୁଁ କେମିତି କରିବି ବା ପ୍ରୀତି ?