ଭାଷା ପ୍ରୀତି
ଭାଷା ପ୍ରୀତି
ଓଡ଼ିଆ ପ୍ରାଣର ଚେତନା ଦିଅଇ
ମାତୃଭାଷା ପୂଣ୍ୟତୋୟା,
ପ୍ରୀତିସିକ୍ତ ହୃଦେ ଶବ୍ଦ, ରାଗ ବର୍ଣ୍ଣି
ମାତୃଭୂମି ମହନୀୟl......
କବିତା ଲତାରେ ଫୁଲ, ଫଳେ ଭରା
ଶବ୍ଦ କୁଞ୍ଜେ ଉପବନ,
ଚିର ସବୁଜିମା ନାହିଁ ତ ଉପମା
ଆହା ସେ ନନ୍ଦନ ବନ......
କବି ଓ କବିତା ଶବ୍ଦ ଭାବଧାରା
ହୃଦୟରେ ଖରା, ଛାଇ,
କେବେ ସୁଶୀତଳ ଗଙ୍ଗାଜଳ ପରା
କେବେ ଅମାନିଆ ନଈ.....
ଭାବ ଭାଷା ପ୍ରୀତି ଆମରି ସମ୍ପତ୍ତି
ଗଙ୍ଗା ପରି ସ୍ରୋତସ୍ୱିନୀ,
ମାତୃଭାଷା, ମାତୃଭୂମିର ସୃଜନୀ
ବହେ ପ୍ରୀତି ମନ୍ଦାକିନୀ......
ପ୍ରାଣଧାର ହୋଇ କଲ୍ଲୋଳିତ ଧାରା
ମହକିତ ଉପବନେ,
ମମତା ଖେଳାଏ ଭାଷାର ଝରଣା
ସଞ୍ଜିବନୀ ଝରା ପ୍ରାଣେ......
ସାଗର, ପ୍ରାନ୍ତର, ନଦୀ, ବନ, ଗିରି
ଫୁଟିଛି ଯତନେ ଭାବ,
ଭାବନାର ଶ୍ରଦ୍ଧା ବିଭବେ ଭରଇ
ମଧୁରତା ଅନୁଭବ......
କେବେ ପ୍ରୀତିପର୍ଣ୍ଣା କେବେ ଋତୁବର୍ଣ୍ଣା
ମଧୁରେ, ବିରହେ ଭରା,
ସେ ସ୍ୱପ୍ନ ବିଳାସୀ ଅନୁଭବ ପୂର୍ଣ୍ଣା
ମଧୁକ୍ଷରl ମନଚୋରା......
କେବେ ସ୍ୱପ୍ନତୀରେ ଅଳକାନନ୍ଦାତ
ଉଜାଣି ଜୁଆର ହୋଇ,
ଧିରେ, ଧିରେ ଆସେ ଅମୃତଧାରାତ
ଗୋପନ ରେ ଛୁଇଁ ଯାଇ.......
ଦିଗହରା କ୍ଲାନ୍ତ ମନେ ସବୁଜିମା
ଭରସାର ଜ୍ୟୋସ୍ନା ଭରି,
ପାରିଜାତ ତୋଳେ ହୃଦୟେ ଆକାଂକ୍ଷା
ପ୍ରାଣଶକ୍ତି ବୁକୁ ଚିରି.......
କେବେ ମଧୁବନ୍ୟା କେବେ ନିର୍ଯାତନା
ସିକ୍ତ, ରିକ୍ତ ହୃଦୟର,
ପତର ପରିକା କୋମଳ ଭାବନା
କେବେ ପଥର ମର୍ମର......
ମନ୍ମଥ ମିଳନ ଲଗ୍ନେ ଅଭିସାର
ରଚିଯାଏ ମଧୁଲଗ୍ନା,
କାବ୍ୟ ଆଭୂଷଣେ କବିତା ରାଣୀର
ଶତ ସ୍ୱପ୍ନତୀରେ ମଗ୍ନା......
ଭାଷା, ପ୍ରୀତି ଯାର ହୃଦୟରେ ନାହିଁ
ଓଡ଼ିଆ ପ୍ରାଣର ସ୍ୱର,
ଶତ ଜ୍ଞାନୀ ହେଲେ ଅର୍ଥବ ଅଜ୍ଞାନୀ
ଧିକ ଜନ୍ମ ଲଭିବାର......