ଭାରାକ୍ରାନ୍ତ ମନ
ଭାରାକ୍ରାନ୍ତ ମନ
କେଜାଣି କାହିଁକି ଆଜି ବଡ଼ ବିବ୍ରତ ଲାଗେ
ମନେ ପଡେ ଅତୀତର କିଛି କଥା
କିଛି ଅକୁହା ବ୍ୟଥା ଆଉ କିଛି ବେଦନା
ଭାବେ ବସି ଯେବେ ଏକାନ୍ତରେ
ଗଲାଣି ତ କେତେ ଗ୍ରୀଷ୍ମର ପ୍ରକୋପ
ଗଲାଣି କେତେ ବର୍ଷାର ନରମ ସ୍ପର୍ଶ
ବିତି ଗଲାଣି କେତେ ଶ୍ରାବଣର ଧାରା
ଦେଖିଛି ଏହି ଆଖି କେତେ ଶିଶିର ବିନ୍ଦୁ
ସହିଛି ଏହି ଶରୀର କେତେ ଶୀତ
ହଜିଛି ପୁଣି ଦେଖି କେତେ କୁହୁଡି କାକର
ନାଚିଛି ଝୁମି ଝୁମି ଫଗୁଣକୁ ଦେଖି
ପାଇଛି ପ୍ରେମର ପରସ ତାହାରି ଭିତରେ
ରଙ୍ଗିଛି କେତେ ରଙ୍ଗେ ଫଗୁଣ ସାଙ୍ଗରେ
ଦେଖିଛି କେତେ କେତେ ସ୍ବପ୍ନ ସିଏ
କେବେ ଆଖି ବୁଜି ସୁପ୍ତ ଅବସ୍ଥାରେ
ଆଉ କେବେ ଆଖି ଖୋଲି ଜାଗ୍ରତରେ
କରିଛି ସ୍ୱାଗତ କେତେ ବସନ୍ତକୁ ପୁଣି
ବଡ଼ ଆନନ୍ଦ ଆଉ ଉତ୍ସାହ ମଧ୍ୟରେ
ସେଥିରେ ଦେଖିଛି ଗଛ ଲତା ସଭିଙ୍କୁ
ତାଙ୍କରି ନୂତନ ସବୁଜତା ର ସୁନ୍ଦରତାରେ
ଭରିଛି କେବେ ମନ ଦେଖି ଭରା ନଦୀକୁ
ତା ସାଙ୍ଗରେ ରଙ୍ଗ ବେରଙ୍ଗର ଫୁଲଙ୍କୁ
ଦେଖିଛି ତାଙ୍କ ଖେଳ ଭ୍ରମର ସାଙ୍ଗରେ
ତାଙ୍କ ଖେଳ ସବୁ ମଳୟ ସାଥିରେ
ଏହି ସବୁ ଦେଖୁ ଦେଖୁ ସମୟ ଗଡିଛି
ବୟସର ବର୍ଦ୍ଧିତ କିଛି ଛାପ ବି ଲାଗିଛି
ନାହିଁ ସେହି ପିଲାଦିନ ର କିଛି ଖେଳ
ନାହିଁ ବି କିଛି ଯୌବନର ଉଦ୍ଦୀପନା
ସବୁ କିଛି ଲାଗୁଛି ସତେ ଯେପରି
ଏବେ ଲଜ୍ଜ୍ୟାର ଚାଦର ଢାଙ୍କି ରଖିଛି
ଅବା ଅତୀତର ରହି ଇତିହାସ ହୋଇଛି
କିନ୍ତୁ କାହିଁକି ଏବେ ବେଳେ ବେକେ ଲାଗୁଛି
ସିଏ ସବୁ ଉଙ୍କି ମାରି ପ୍ରଶ୍ନ କରୁଛି
ସେହି ସବୁ ଭାବି ବଡ଼ ବିବ୍ରତ ହେଉଛି
କିଛି କହିବାକୁ ଚେଷ୍ଟା କରି ପାରୁନାହିଁ
ଅବା ଚେଷ୍ଟା କରି ଥକି ସେ ଯାଉଛି
ସେଥିପାଇଁ ଆଜି ଏହି ଭାରାକ୍ରାନ୍ତ ମନ
ଉଦାସ ହୋଇ ବଡ଼ ବିବ୍ରତ ହେଉଛି |