ଭାବର ପ୍ରତୀକ ଶ୍ରୀଜଗନ୍ନାଥ
ଭାବର ପ୍ରତୀକ ଶ୍ରୀଜଗନ୍ନାଥ


ଆଷାଢ଼ ମାସର ଶୁକ୍ଳ ଦ୍ଵିତୀୟାରେ
ରଥେ ବିଜେ କରିଛନ୍ତି ଗୋସାଇଁ,
ଭାଇ, ଭଉଣୀକୁ ସାଥିରେ ଧରି ସେ
ବଡଦାଣ୍ଡେ ଆସିଛନ୍ତି ଓହ୍ଲାଇ।
ରତନ ବେଦୀରୁ ଜନମ ବେଦୀକୁ
ଯିବା ପାଇଁ ଘୋଷଯାତରା କର,
ଷୋଳକଳା ପୂର୍ଣ୍ଣ ରୂପ ମନୋହର
ଚତୁର୍ଦ୍ଧାମୂରତୀ ଶୋଭା ସମ୍ଭାର।
ବିଶ୍ୱର ବିସ୍ମୟ ହେ ପୁରୁଷୋତ୍ତମ
ଲୀଳାମୟ କୋଟି କୈବଲ୍ୟନାଥ ,
ଦୀନବନ୍ଧୁ, କୃପାସିନ୍ଧୁ ଭାବଗ୍ରାହୀ
ପରମ ପୁରୁଷ ଶ୍ରୀ ଜଗନ୍ନାଥ।
ଅନ୍ତର୍ଯ୍ୟାମୀ, ସର୍ବବ୍ୟାପୀ ବିଶ୍ଵରୂପ
ସତ୍-ଚିତ୍-ଆନନ୍ଦର ପ୍ରତୀକ,
ଭାବଗ୍ରାହୀ ପ୍ରଭୁ ଭାବେ ବନ୍ଧା ହୁଅ
ଭାବ ଥିବ ଯଦି ଶ୍ରଦ୍ଧା ସାତ୍ତ୍ଵିକ।
ଜୀବନ ମରଣ ଜୀବନ ଚକ୍ରରେ
ସବୁ ଅଭିନୟ ମିଛମାୟାରେ,
ତୁମ ସ୍ଥିତି, କାନ୍ତି ଅପୁର୍ବ ସେ ଦ୍ୟୁତି
ସବୁ ସୀମା, ପରିସୀମା ଉର୍ଦ୍ଧ୍ୱରେ।
ତାଳଧ୍ଵଜ, ଦର୍ପଦଳନ,ନନ୍ଦିଘୋଷ
ପ୍ରଭୁ ହେ ତିନି ରଥ ଗଡୁଥାଉ,
ପବିତ୍ର ଦୃଶ୍ୟକୁ ଦର୍ଶନ କରିଣ
ଭକତ ଜୀବନ ସାର୍ଥକ ହେଉ।