ଭାବାନ୍ତର
ଭାବାନ୍ତର
ଆହା କି ମନୋରମ ସ୍ଵର୍ଣ୍ଣାଭ କର,
ଲୁଚାଇ ବିକର୍ତ୍ତନ ହୋଇ ଅସ୍ଥିର, ଯେ,
ଯାଆନ୍ତି ଲୁଚି,
ଆକାଶେ ହସିଉଠେ ସରଗ ଶଶି,ଯେ ।
ନୀଡ ବାହୁଡା଼ ବେଳ ବିହଙ୍ଗ ଗୀତ,
ରୋଳେ ଉଛୁଳି ଉଠେ ମୋ ପରିବେଶ, ଯେ,
କେଡେ ସୁନ୍ଦର,
ମନ୍ଦ୍ର ମଧୁରେ ଧୀରେ ଝରେ ଅନୀଳ, ଯେ ।
ସଞ୍ଜୁଆ ତାରା ମେଳେ ରଜନୀ ରାଣୀ,
ପକାଇ ଆସେ ତାର କଳା ଓଢଣୀ, ଯେ,
ଯାମିନୀ କାଳ,
ପ୍ରବେଶ ହେଲା ଘନ ହୁଏ ଅନ୍ଧାର,ଯେ ।।l
ଚଉରା ମୂଳେ ସଞ୍ଜ ସଳିତା ଜାଳି,
ଶୁଭ ମନାସେ ଅବଗୁଣ୍ଠନେ ଆଳି, ଯେ,
ତା ଚନ୍ଦ୍ର ମୁଖ,
ଆଭା ପ୍ରକାଶେ ଶଶଧର ମୟୂଖ,ଯେ ।
ଅଦୂରୁ ଗାଆଁ ମୁଣ୍ଡ ଶ୍ମଶାନ ତଳ,
ମାଳୁ ଶୁଭେ ହୁକେ ହୋ ଶିଆଳ ସ୍ଵର, ଯେ,
କୁନ୍ଥାଇ ପେଚା,
ରାବ ଶବଦେ ମନେ ପଶେ ଛନକା,ଯେ ।
p>ମନ୍ଦିର ଗମ୍ଭୀରା ରୁ ଶଂଖ ଘଣ୍ଟ ର,
ଶବଦ ଶୁଭେ ମନ୍ତ୍ର ଉଚ ଓଁକାର, ଯେ,
ଦେବ ଆଳତି,
ମହକ ଛୁଟାଉଛି ପବନ ଗତି,ଯେ ।
ଭଗବତ ଟୁଙ୍ଗୀର ଚଉପାଢିରେ
ଭାଗବତ ଗୀତରେ ମଜ୍ଜି ସକଳେ, ଯେ,
ତଲ୍ଲିନ ହୋଇ,
ପୁରାଣ ପଣ୍ଡା ସ୍ଵରେ ହୋଇଲେ ବାଇ,ଯେ ।
ନିଶୂନ ଘଞ୍ଚ ରାତି ନିଶା ଗରଜେ,
ସାରସ ଦମ୍ପତି ର ପ୍ରେମ ବିଚ୍ଛେଦେ, ଯେ,
ସତେକି ରାତି,
ରତି ବିହୁନେ କଳା ଦିଶେ ତା କାନ୍ତି,ଯେ ।
ଶଯ୍ୟା ନିବିଷ୍ଟ ତୁଳି ତଳପେ ବସି,
ଦମ୍ପତ୍ତି ରତି ରଙ୍ଗେ ଅବା ବିଳସି, ଯେ,
ଗୁହସ୍ଥ ଧର୍ମ,
ବଂଶ ରକ୍ଷାର୍ଥେ କର୍ମ ଶାସ୍ତ୍ରେ ସମ୍ମାନ,ଯେ ।
ଘନ ନିଶା ଅନ୍ଧାର କବରୀ ଖୋଲି,
ବସିଛି ପ୍ରକୃତି କି ଗୁମାନ କରି, ଯେ,
କୁମୁଦ ମୋଦେ,
ଜ୍ୟୋତ୍ସ୍ନା ବିହାର ରଚେ ପ୍ରଣୟ ରତେ,ଯେ ।