ବେଙ୍ଗ କହେ ବେଙ୍ଗୁଲି ଲୋ
ବେଙ୍ଗ କହେ ବେଙ୍ଗୁଲି ଲୋ
ବେଙ୍ଗ କହେ ଆଲୋ ବେଙ୍ଗୁଲି ପୃଥିବୀ
କ୍ଷଣ କ୍ଷଣକରେ ଆନ
ଆଜି ଯିଏ ପୂର୍ଣ୍ଣମୀର ଇନ୍ଦୁ ପରା
କାଲି ସିଏ ମଲା ଜହ୍ନ।।
ପୂର୍ଣ୍ଣମୀର ଇନ୍ଦୁ ଖେଳୁଥାଏ ନିତି
ଗଗନର ଅଗଣାରେ
ଉଲ୍ଲସିତ ଚିତ୍ତେ ନାଚି ବୁଲୁଥାଏ
ଜାହ୍ନବୀର ଜଳଧାରେ।।
ସମୟର ଅନ୍ତରାଳେ ଯୌବନରେ
ଇନ୍ଦୁ ହୋଇ ପରିପୂର୍ଣ୍ଣ
ତାରାଙ୍କମେଳରେ ନୀଳ ଆକାଶରେ
ଦିଶେ କେଡେ ଶୋଭବନ।।
ଆଜି ସେ ଯେ ରାଜା ନଭ ମଣ୍ଡଳର
କାଲି ସ୍ୱପ୍ନ ଭଙ୍ଗ ହେବ
ତାର ସେ ସୁନେଲି ସୁନ୍ଦର ରାଜ୍ୟରେ
ନଜର ଯେ ପଡ଼ିଯିବ।।
ଦିନ ପରେ ଦିନ ହୋଇ କ୍ଷୟ ମାନ
ଅଙ୍ଗ ଦିଶେ ତା ମଳିନ
ତଥାପି ଜଗତେ ବାଣ୍ଟି ଚାଲିଥାଏ
ତାର ଶୀତଳ କିରଣ।।
ବାଣ୍ଟି ବାଣ୍ଟି ତାର ଶୀତଳ ପରଶ
ଜୀବନ ହୁଏ ତା କ୍ଷୀଣ
ଅମା ଅନ୍ଧକାରେ ତା ରୂପ ସୌନ୍ଦର୍ଯ୍ୟ
ହୋଇଥାଏଟି ବିଲୀନ।।
ଜଗତକୁ ଦେଇଥାଏ ଉଚ୍ଚତର
ବାର୍ତ୍ତା ହୋଇ ମହୀୟାନ
ଏ ଜୀବନ ସଦା କ୍ଷଣସ୍ଥାୟୀ ସିନା
ମାୟା ରଜ୍ଜୁର ବନ୍ଧନ।।
ବେଙ୍ଗ କହେ ଆଲୋ ବେଙ୍ଗୁଲି ରାଣୀ ତୁ
ଶୁଣିଲୁ ଚାନ୍ଦ କାହାଣୀ
କ୍ଷଣ କ୍ଷଣ କରେ ଘୋଡ଼ା ଛୁଟି ଯାଏ
ନ ପାରିବା ଆମେ ଜାଣି।।
କେତେବେଳେ ଶଙ୍ଖମହୁରୀ ବାଜେ ତ
କେତେବେଳେ ଯେ କୋକେଇ
ଜୀବନର ଗତିପଥ ବଦଳେ ଯେ
ପରମାତ୍ମା ହାତେ ଥାଇ।।
ଦିନ ରାତି ଆଉ ଜନ୍ମ ମୃତ୍ୟୁ ଖେଳ
ଆଦେଶେ ଗଢା ତାଙ୍କରି
ଆମେତ କେବଳ ନିମିତ୍ତ ମାତ୍ରକ
ପଥହୁଡା ଯାତ୍ରୀ ପରି।।
ଆଜି ଯିଏ ଅଛି ରାଜାର ଆସନେ
କାଲି ସେ ଦାଣ୍ଡ ଭିକାରୀ
କାଲି ଥିଲା ଯିଏ ନିର୍ଦ୍ଧନ ଦରିଦ୍ର
ଆଜି ଚଳେ ରାଜା ପରି।।
କେଉଁଠି ଆସିଛି କେଉଁଠିକୁ ଯିବ
କେଉଁଠି ଯେ ଯାତ୍ରା ଶେଷ
ଅଭିନୟ ଡୋରି ଧରିଛି ବିଧାତା
କେବେ ଅଙ୍କ ହେବ ଶେଷ।।
ଭଲ ମନ୍ଦ ସୁଖ ଦୁଃଖ ଜୀବନରେ
ଆସେ ଖରା ଛାଇ ପରି
କ୍ଷଣେ କ୍ଷଣେ ଆନ ସମୟ ସ୍ରୋତରେ
ଜିତିବା କେବେ ନ ଡରି।।
ଜଗତକୁ ଭଲ ପାଇ ଯେ ସର୍ବଦା
ସମର୍ପି ଦିଅ ନିଜକୁ
ସଭିଙ୍କ ଜୀବନେ ଫେରିବ ପୂର୍ଣ୍ଣିମା
ପାଇବା ପୂର୍ଣ୍ଣ ଇନ୍ଦୁକୁ।।