ବଢିଯାଏ ମୋ ସ୍ପନ୍ଦନ
ବଢିଯାଏ ମୋ ସ୍ପନ୍ଦନ
ଦୋଳାୟିତ ଏହି ମାଟିର ସୁଷମା
ନଦ ନଦୀ ଗିରି ବନ
ଯା'ର ଦରଶନେ ପୁଣ୍ୟ ପ୍ରଭାତରେ
ବଢିଯାଏ ମୋ ସ୍ପନ୍ଦନ ll
ଯାହାର ମଳୟ ପବିତ୍ର ମଧୁର
ପ୍ରଶ୍ୱାସରେ ପ୍ରବାହିତ
ସେଇ ମାଟି ମାଆ ମମତା ପରଶେ
ନିତି ହୁଏ ବିମୋହିତ ll
କେତେ କେତେ ପ୍ରଶ୍ନ ଉଙ୍କିମାରେ ନିତି
କିଏ ସେହି କାରିଗର
କେଉଁ ବିନ୍ଧାଣିର ନିହାଣ ମୁଗୁର
ତୋଳେ ଏଠି ମଧୁସ୍ୱର ll
ଯା' ନୀଳ ସାଗରେ ତରଙ୍ଗ ପ୍ରଖର
ମଥାପିଟେ କୂଳ ଛୁଇଁ
ଦେଶ ଜନନୀର ପଦ ପ୍ରକ୍ଷାଳନେ
ସ୍ପନ୍ଦିତ ବେଳାଭୂଇଁ ll
ତା' ଗର୍ଭେ ଶୁଭୁଛି ପୁଣ୍ୟ ବୃନ୍ଦାବନେ
ସୁମଧୁର ବଂଶୀ ସ୍ଵନ
ଦିବ୍ୟ ଚେତନାର ସୁଷମା ନିରେଖି
ରସ କରେ ଆସ୍ଵାଦନ ll
ଆର୍ଯ୍ୟବର୍ତ୍ତର ଏ ଆତ୍ମିକ ଚେତନା
ପ୍ରାଣେ ପ୍ରାଣେ ପୁଲକିତ
ସାର୍ଥକ ହୁଏ ମୋ ମାନବ ପରାଣ
ମଧୁଛନ୍ଦେ ଅଭିପ୍ରେତ ll
ଚିନ୍ତା ଚେତନାରେ ଚମକ ଖେଳାଇ
ଚାରୁ ଚିତ୍ର ଚମତ୍କାର
ସେ ପୁଣ୍ୟ ସୋପାନେ ଝଙ୍କୃତ ହୁଏ
ଶବ୍ଦେ ଶବ୍ଦେ ସଙ୍ଗୀତର ll
ସେ ସ୍ୱର ଶ୍ରବଣେ ଦିବ୍ୟ ସମ୍ମୋହନେ
ସ୍ପନ୍ଦନ ଯାଏ ଖେଳି
ଭାବେ ମୁଁ ବିସ୍ମୟେ କେଉଁ ପୁଣ୍ୟ ବଳେ
ଏ ମାଟିରେ ଜନମିଲି ll
ବାଢୁଛି ପ୍ରଣତି ଘେନ ମାଆ ମାଟି
ହୃଦୟରୁ ନମସ୍କାର
ଏତିକି ଆଶିଷ ଥାଉ ମାଆ କୋଳରେ
ଜନମିବି ବାରମ୍ବାର ll