ବାତ୍ୟା
ବାତ୍ୟା
ତିତିଲି ହେଉକି ବାତ୍ୟା ମହାବାତ୍ୟା
ହେଉ ଫୋନି ହୁଡୁହୁଡୁ
ଝଡ ବତାସ ର ନାମ ଶୁଣୁଶୁଣୁ
ଛାତି ହୁଏ ଧୁଡୁଧୁଡୁ ।
ନୀଳ ସାଗରର ଅଥଳ ଜଳରେ
ବାତ୍ୟା ଯେବେ ଦାନା ବାନ୍ଧେ
ଖବର ପାଇ ତ ଖବର ଦାତାଙ୍କ
ମୁଣ୍ଡ ଦିନରାତି ବିନ୍ଧେ ।
ଚ୍ୟାନେଲ ରେ ତାଙ୍କ ତୁହାଇ ତୁହାଇ
କୁହନ୍ତି ଆସୁଛି ଝଡ
ଝଡ ଥାଉପଛେ କାହିଁ କେତେ ଦୂରେ
ବଜାରରେ ବଢେ ଭିଡ।
ଖୋଲିବନି କାଳେ ଦୋକାନ ବଜାର
ଥିଲାବାଲାଙ୍କ ର ଡର
ମାସକ ପାଇଁକି ସାଇତି ରଖନ୍ତି
ଯାହା ନିତି ଦରକାର ।
ତୋଫାନ ଆସୁଛି ଶୁଣୁଶୁଣୁ ସବୁ
ପବନ ବେଗରେ ଯାଇ
ଲମ୍ବା ଚିଠାଧରି ହାଟରେ ଗହଳୀ
ଲମ୍ବା ଧାଡିରେ ତ ରହି ।
ଆଖି ପିଛୁଳାକେ ଆଳୁ ପିଆଜର
ଗୋଦାମ ହୁଅଇ ଖାଲି
ବଜାରରେ ଆଉ ମିଳେନାହିଁ କାହିଁ
ଚୁଡା ଚାଉଳକି ଡାଲି।
ପାଉରୁଟି କ୍ଷୀର ବିଷ୍କୁଟ ମିକ୍ସଚର
ବଜାରରୁ ଯାଏ ସରି
ସଭିଏଁ ଛାନିଆ ମିଳିବନି କିଛି
ହୋଇଗଲେ ଟିକେ ଡେରି।
ବତାସ ଆଗରୁ ଆକାଶକୁ ଛୁଏଁ
ହାଟ ବଜାରର ଭାଉ
ହତାଶ ହୁଅନ୍ତି ଗରିବ ବାପୁଡା
ବେପାରୀ ସାଧନ୍ତି ଦାଉ ।
ଗୋଦାମରେ ସବୁ ଲୁଚେଇ ବେପାରୀ
କୁହନ୍ତି ଗଲାଣି ସରି
ଚଢା ଦର ଦେଇ କିଣନ୍ତି ଗରାଖ
ଅଭାବକୁ ସବୁ ଡରି ।
ଝଡକୁ କେମିତି ସାମନା କରିବେ
ଝୁମ୍ପୁଡିରେ ବଢେ ଚିନ୍ତା
ଦଦରା କାନ୍ଥ କୁ ଅଲୁରା ଛପର
ଲୁହରେ ହୁଅନ୍ତି ତିନ୍ତା ।
ବାତ୍ୟା ବେଳେ ଲୋକେ ନେବାକୁ ଆଶ୍ରୟ
ଗାଁ ମୁଣ୍ଡେ ପକ୍କା ଘର
ଭିଟାମାଟି ଛାଡି ଯିବାପାଇଁ କାହିଁ
ସେମାନଙ୍କୁ ଲାଗେ ଡର ।
ମାଲେମାଲ୍ ପରା ହେବାପାଇଁ ଏଣେ
ଥୋକାଏ ରୁହନ୍ତି ଚାହିଁ
ସେବା ସାହାଯ୍ୟ ର କଥା କହିକହି
ରକତ ଯାଆନ୍ତି ପିଇ ।
ପ୍ରକୃତି କୋପକୁ ସଭିଙ୍କର ଡର,
ଏମାନେ ହୁଅନ୍ତି ଖୁସି
ପଥରରୁ ସିଏ ରସ ନିଗାଡନ୍ତି,
ଦୁନିଆଟା ଯାଉ ଭାସି ।