ବାତ୍ୟା
ବାତ୍ୟା
ତୁମ ଆଗମନର ସମ୍ବାଦ ଯେମିତି ଥରାଇ ଦିଏ ନିରୀହ ହୃଦୟକୁ
ଆଉ ଆଖିରେ ଆଙ୍କିଦିଏ ଧ୍ଵସ୍ତ ବିଧ୍ୱସ୍ତ ପୃଥିବୀର ସ୍ୱଚ୍ଛ କାନଭାସ
ଅବନୀ କୋଳରେ ତୁମର ଆବିର୍ଭାବ ପୁଣି ମନେ ପକେଇଦେଲା ଅତୀତର ହୃଦୟ ବିଦାରକ ଦୃଶ୍ୟ
ପବନର ସୁ ସୁ ଶବ୍ଦର ଗୁଞ୍ଜରଣ ପ୍ରତିଟି ମୁହୂର୍ତ୍ତରେ କରୁଥିଲା ଅତିଷ୍ଠ
ଘନଘୋର ବର୍ଷା ଆଉ ଘଡଘଡିର ଶବ୍ଦ ଯେମିତି ଭାଙ୍ଗିଦେଉଥିଲା ସମସ୍ତ ଅଙ୍କୁରିତ ସ୍ୱପ୍ନକୁ
ଗଛ ମାନଙ୍କର ଦୁହୁଲୁଥିବା ଶବ୍ଦ ଆଉ ଭାଙ୍ଗିବାର ନାଦ ଆତଙ୍କିତ କରୁଥିଲା ପ୍ରତିଟି ମୁହୂର୍ତ୍ତରେ
ହେ ବାତ୍ୟା !
ତୁମେ ସିନା ଚାଲିଗଲ ତୁମ ବାଟରେ ଧ୍ବଂସ ଲୀଳାକୁ ରଚିଲା ପରେ
ମାତ୍ର ଭାଙ୍ଗିଦେଇଗଲ ଗରିବର ଆଶ୍ରୟସ୍ଥଳୀ, ଧରାଶାୟୀ କରିଦେଲ ଚାଷୀର ସ୍ୱପ୍ନ, ଲୋଟିନେଲ ବଞ୍ଚିବାର ସ୍ବପ୍ନ
ଚାରିଆଡେ ମାର୍ମାନ୍ତିକ ଯନ୍ତ୍ରଣାର ଅର୍ତ୍ତନାଦ, ହା ହା କାର ଆଉ ଦୁର୍ବିସହ ବେଦନାର ପରିପ୍ରକାଶ
ତୁମେ ବୁଝାଇଗଲ ତୁମେ ତ ଅମାପ ଶକ୍ତିର ଅଧିକାରୀ
ଅର୍ଥ ମୂଲ୍ୟହୀନ, ଅର୍ଥନୀତି ମୂଲ୍ୟହୀନ, ବିଜ୍ଞାନ ମୂଲ୍ୟହୀନ ଆଉ ମୂଲ୍ୟହୀନ ଏ ଆତ୍ମଗର୍ଵରେ ଫୁଲିଉଠୁଥିବା ମଣିଷ |