ବାପା
ବାପା
ସୁନେଲି ସକାଳ ଆଶାରେ ,
ପରସ୍ତ ପରେ ପରସ୍ତ
ରାତ୍ରୀର ପ୍ରହର ଖୋଲି ,
ଉଜାଗର ଯିଏ ରହିଯାଏ ,
ଅୟୁତ ଇଚ୍ଛାକୁ ଆୟତ୍ତରେ ରଖି
ମାପି ଚୁପି ବାଟ ଚାଲୁଥାଏ ।
ନାରିକେଳ ସମ ଉପରେ କଠିନ
ଭିତରେ ସେନେହ ଧାରାଟିଏ ,
ଜଗତରେ ନାହିଁ, କିଏ ତାଙ୍କ ପରି
ହସ ଓ ଲୁହର ସାଥିଟିଏ ।
ସନ୍ତାନ ହିତେ ଅଭୟ ସନ୍ତକ
ଅଟେ ସିଏ ପରା ବାପାଟିଏ,
ଯାହାର ମନରେ , ମସ୍ତିଷ୍କରେ
ଚିନ୍ତାରେ, ଚେତନାରେ
ଅହରହ ଘୂରିବୁଲେ
ଅନେକ ସମସ୍ୟା ଓ ତା'ର ସମାଧାନର
ଛିଣ୍ଡା-ଅଛିଣ୍ଡା ଅଙ୍କମାନ ।
ଶୁଭାଶିଷର ଅଦୃଶ୍ୟ କାନ୍ ଭାସ୍ ରେ
ଯିଏ କଠୋରତାର ରଙ୍ଗ ମାଖିଦିଏ,
ସିଏ ଅଟେ ପରା ବାପାଟିଏ।
ସେହି ବାପାଙ୍କ ପାଇଁ
ଆଜି ମୁଁ ଲେଖୁଛି
କ୍ଷୁଦ୍ର କବିତାର ଧାଡ଼ିଟିଏ ।
ନିଜ ଆଖିର ନିଦ ବିକି,
ଅଦରକାରୀ ସ୍ଵପ୍ନ ବି କିଛି କିଣାଯାଏ ,
ସେଥିପାଇଁ ବୋଧେ ଏ ସଂସାରରେ ,
"ବାପା" ହେବାଟା ଏତେ ସହଜ ନୁହେଁ ।