ବାପା
ବାପା
ବାପା ଡାକଟିରେ ଅମୃତ ତ ଥାଏ
ଥାଏ ମନ୍ଦିର ମହକ
ମର୍ମ ମନ୍ଦିରର ଚଳନ୍ତି ଠାକୁର
ସୌମ୍ୟ,ସାନ୍ତ୍ୱନା ପ୍ରତୀକ ।
ସାନ୍ତ୍ୱନା,ସାଧନା,ସଂକଳ୍ପ,ପ୍ରେରଣା
ସନ୍ତୁଳନ,ସମାହାର
କୋଟିଏ ପୁଣ୍ୟର ଗୋଟିଏ ପାଖୁଡା
ଚିର ନମସ୍ୟ ସମ୍ଭାର ।
ସଞ୍ଜର ଆଳତି ଦିବ୍ୟ ଚକ୍ଷୁ ଜ୍ୟୋତି
ସକାଳର ଶୁଭ ଶଙ୍ଖ
ସେ ଶଙ୍ଖରୁ ଅର୍କ ଅମୃତ ନାଦରୁ
ଝରିଥାଏ ଆଶାଲୋକ ।
ଦୁଇ ବାହୁ ଥାଇ ଚତୁର୍ଭୂଜ,ସିଏ
ସ୍ଥିର ସୁରକ୍ଷା ବଳୟ
ସନ୍ତାନର ପାଇଁ ସନ୍ତାନଙ୍କୁ ନେଇ
ରଚନ୍ତି ରମ୍ୟ ନୀଳୟ ।
ହାଡଭଙ୍ଗା ତାଙ୍କ ସତ୍ୟନିଷ୍ଠ କର୍ମ
ତ୍ୟାଗରେ ତ୍ୟାଗରେ ତୃପ୍ତ
ସନ୍ତାନ ସୁଖର ଆଶାୟୀ,ଆକାଂକ୍ଷୀ
ଅପ୍ରାପ୍ତରେ ସଦା ପ୍ରାପ୍ତ ।
ପ୍ରାପ୍ତି ପାଇଁ କେବେ ବ୍ୟାକୁଳ ନୁହନ୍ତି
ମର୍ତ୍ତ୍ୟର ସେ ମହାଦାତା
ସନ୍ତାନର ପାଇଁ ସନ୍ତାନକୁ ନେଇ
ହୃଦେ ସ୍ଥିର ବଦାନ୍ୟତା ।
ମାଆ କୋଳ ମୋର ଖେଳର ମନ୍ଦିର
ବାପା କୋଳ ଜ୍ଞାନ ଘର
ଜ୍ଞାନ ଗରୀମାର ଭାଗ୍ୟ ଭବିଷ୍ୟତ
ଆଶୀର୍ବାଦର ଭଣ୍ଡାର ।
ଆଶୀର୍ବାଦ ତୁମ ସ୍ୱତଃ ଦିବ୍ୟ ଝର
ମାଗିବାକୁ ପଡେ ନାହିଁ
ଆଲ୍ହାଦ ଆନନ୍ଦ ସବୁ ଦେଇଦିଅ
ଲୁଚି ଲୁଚି ଲୁହ ପିଇ ।
କାହିଁକି ତାହେଲେ ମନ୍ଦିର ମୁଁ ଯିବି
ପୁଣ୍ୟ ଅର୍ଜିବାର ପାଇଁ!
ଧର୍ମ, କର୍ମ, ଭାଗ୍ୟ, ଚିନ୍ତା ଚେତନାର
ଜନ୍ମ ଜନ୍ମର ଗୋସାଇଁ ।
ଭାଜ୍ୟ, ଭାଜକ ବା ଭାଗଫଳ ପାଇଁ
କେବେ ମୁଁ ବ୍ୟାକୁଳ ନୁହେଁ
ତୁମେ ମୋ ଭାଜକ, ତୁମେ ଭାଗଫଳ
ତୁମ ଜ୍ଞାନେ ଜ୍ଞାନୀ ହୁଏ ।
ସେ ଗୁଣ ତର୍ଜମା କରିବା ଉପମା
ନାହିଁ ମୋ ଶବ୍ଦ ଭଣ୍ଡାରେ
ଜନମ ଜନମ ସନ୍ତାନତ୍ୱ ପାଇଁ
ସବିନୟ ଅଳି କରେ ।