ବାଲି ର ଶଦ୍ଦ ଚିତ୍ର
ବାଲି ର ଶଦ୍ଦ ଚିତ୍ର
ଯା ....ଯା.... ବ..... ର
ମନ ମୋର....
ନିତି ଗଢେ ନିତି ଭାଙ୍ଗେ
ନିତି ଗଢେ, ନିତି ଭାଙ୍ଗେ
ସ୍ବପ୍ନର ବାଲିଇ ଘରଅ ..... ଯା.. ଯା.. ବ.. ର ।।
ବାଲିର ମହଲ .....
ବାଲିନାୟିକାର ଅତି ପ୍ରିୟ .....
ବାଲି ଦିଶେ ସତେ
ଅଭ୍ରଧୂଳି ଆସ୍ତରଣ ....
ଚାନ୍ଦିଚମକର ଭ୍ରମ
ଠିକ୍ ତାର କୁଟିଳ ଭୃଲତା ମଝିର
ହସନ୍ତ ଜହ୍ନ ।।
କେଉଁ ଐଶ୍ଚର୍ଯ୍ଯ ର ସନ୍ଧାନେ ତୁମେ ହେ ଫସିଲ୍ !
ଶେଷ ପରସ୍ତ ଯାଏ ବି ସେଇ ବାଲିର ଚିତ୍ରଖାତା ,
ଆଉ ଥିବ ଯଦି ଥିବ....
କିଛି ହଜିଥିବା
ପୋତିଥିବା ପାଉଁଜିର ନିକ୍ବଣ,
ବା ପୋତିହେଇଥିବା ଇତିହାସର ପାଦ,
କିଛି ଗପର ଅଂଶଛିଟା
ତୋଟା, ସ୍ଥଳ ଆବରଣ ।
ଫେରସ୍ତ ପାଇପାର
ଯଦି ପାଅ !
ସାଗର ଅଧିରେ ନୀଳ ତରଙ୍ଗର
ବାଲିବୁହା ପର୍ବ ଢଳା
ମୁଠାଏ ପିଠାପଣା
ଆଉ ଗୋଟେ ଝୀନଓଢଣୀର ଆଭରଣେ
ଅଳ୍ପ ଦିଶୁଥିବା ମିଠା ହସଗାଁର କବିତା ।।
.....
ବଦଳୁଥାଏ ସମୟର ଚାଲି
ପ୍ରତି ପାଦରେ
ମୁଠାଏ ମୁଠାଏ ବାଲିର ବୁଣାପାଲିରେ।।
ପ୍ରତିଟି ବାଲି ରେଣୁ, ପୃଥିବୀର ଗୋଟେ ଗପ ସାଇତେ ।
କମରସରୁ ଇପ୍ସିତନାରୀ ଆକୃତି ସରୁନଈବାଲିର ଘଡି ।
ଗୋଟେ ପଟ ବାଲି ସରସର୍ ହେଇ ଖସି ପଡିଲା ବେଳକୁ ଘଡି ମାରି ଶଶି ଉଇଁ ଆସୁଥାଏ ନୀଳବାତାୟନ ଫାଙ୍କରୁ । ସବୁ ଉଇକିପେଡିଆର ତଥ୍ଯ ଚୋରାବାଲି ପରି ମିଳେଇ ଯାଉଥାଏ ପରସ୍ତ ପରସ୍ତ ।କେବଳ ସମାନ ସ୍ତରଭ୍ରମ ତୋଳିଧରି । ମାୟାପଟ୍ଟଳ ଆଖିରୁ ଆଖି ଆପେ ବାନ୍ଧି ହେଉଥାଏ ଶୂନ୍ୟରୁ ।ଥରେ ଯଦି ମଥା ଉପରେ ତତଲା ତାଉଆ ପରି ସୂର୍ଯ୍ୟ ଆଉ ପାଦତଳେ ତୁଳା ପରି ଲହଡିଭିଜା ଓଦା ବାଲୁକା ଏକା ସହ ତୁମକୁ ଛୁଅଁନ୍ତି ତୁମେ ଆଉ କେଉଁ "ତୁମେ" ହେଇ ଥାଅ ଭଲା !ଜୀବନ ଏକ ବିସ୍ତୃତ ସାଗରବେଳା । ନୁହେଁ କି ! ଯାହାର ସୂର୍ଯ୍ୟ ଉଦୟ ଓ ଅସ୍ତଗାମୀ ପଥେ .... ଉଭୟ ସମ୍ମୋହକ ।
ବାଲୁକା ବନ୍ତର ଅସୀମ ପ୍ରଶସ୍ତୀ .... ଆଉ ଆମେ, ଗଢୁଥିବା ଭାଙ୍ଗୁଥିବା ସେଇ ନିରୀହ ଶିଶୁଟିଏ ହି ତ, ଯିଏ ଉଭୟରେ ଖୁସି ...ଲୁହ ହେଉ ବା ଆନନ୍ଦ ..... ଆଉ ବେଶୀ କଣ ଯେ !
ଧନୁଶକୋଡିର ଧ୍ବସ୍ତକାହାଣୀ ବିଜଡିତ ସିମାହୀନ ଦରିଆ । ବାଲିବଣ।ମୁହଁ ଯାକ ବୋଳିହେଇ ଆକ୍ତାମାକ୍ତା ବାଲୁକା ରେଣୁ ଝରିପଡୁନଥାଏ ..... ଉଡି ଛୁଁ'ଥାଏ ଗାଲରୁ ଚିବୁକ ଦେଇ ମନ ଯାଏ ।ସ୍ମୃତିର ବେଳାଭୂମି ।କେତେ ଯେ ପ୍ରେମ, କେତେ ଘର ,କେତେ ଜନ୍ମ, କେତେ ସଂସ୍କାର .... ସବୁ ଉର୍ଣ୍ଣିତଳେ ....
ପୁରୀର ସୁବର୍ଣ୍ଣ ବାଲୁ ।ଆଃ ..... ଭକ୍ତି ବା ଦର୍ଶନ
ପୁଲକ ବା ସ୍ପନ୍ଦନ
ସବୁ ତାର ।।
ସୁବର୍ଣ୍ଣରେଖାର ଭିଜାବାଲିକା ଛାତିରେ ତୋ ବାଳିକା ବେଳର ପାଦ ଅଙ୍କା ।ଆହାଃ ..... କେତେ ଗପ ,କେତେ ଅଙ୍କାବଙ୍କା ଅଙ୍କା ଗୀତ .....
ଶିକତା ସିରିସିରି ଶୀତ ରାତିର ଗୀତସ୍ବରେ ଗାଉଥିବା ସେ ପକ୍ଷିଣୀ ତୁ ହି ତ ଥିଲୁ ।ସରୁସୂକ୍ଷ୍ମ ଲକ୍ଷ୍ମୀ ପାଦ ତୋର ମାଟିଆକଳ ଚିନିଗଦା ପରି ନଦୀପ୍ରାନ୍ତ ବାଲି ସାରା କିମିଆ କରେ ଥରକୁ ଥର ।ଆକର୍ଷିତ ହୁଏ ବି ବିନା କାରଣେ ,କାରଣ କଣ ସତରେ ତୋ ପାଇଁ ଲୋଡା!
ଆଉ ମୁଁ ......
ସେଇ ମାଟି, ମାଟିର ପାହାଡ
ପାହାଡର ଶିଳା, ଶିଳାର ଚୂର୍ଣ୍ଣ
କ୍ଷୁଦ୍ର ପ୍ରସ୍ତର, ନଦୀ ଗର୍ଭସ୍ଥ ଶଯ୍ଯା
ସମ ନଦୀ କୂଳସ୍ଥ ବାଲିଗରଡା
ଯିଏ କେବେ ଶିବଲିଙ୍ଗ, କେବେ ଶାଳଗ୍ରାମ
ନହେଲେ ସେଇ ଅସଂଖ୍ୟ ଅଗଣିତ ତାରାପନ୍ତି ଭରା ଆକାଶ ତଳେ ରେଣୁଏ ବାଲିର
ପ୍ରତିବିମ୍ବିତ ଆକାଶ ।।
ମୁଁ ବାଲିତୃତୀୟାର ବାଲିଲିଙ୍ଗ,
ତୁ ତଅପୋଇର ବନଫୁଲଦିଆ ବାଲକାପୂଜା
ଭୋର ବେଳାରେ
ସେଇ ନଦୀ କୂଳେ
ଦିଟି ଗଢା ଗପ .....
ମନେଅଛି !
ସେ ମାୟାଛବି?
ଯୋଉଥିରେ ଦିଶୁଥିଲେ ତୁ ଆଉ ମୁଁ,
" ଆମେ " ପରି ,
ସେଇ ତୋର ମୋ ଆଙ୍ଗୁଳି ଚଲେଇ ଲେଖେଇ ନେବା ତୋ ନାଁ
ମନେଅଛି!
ସେଇ ହସହସ ଜିଦ୍
ସ୍ବପ୍ନିଳ ବାଲୁକାର
ମୀନାର୍ ତୋଳିଦେବା ପାଇଁ ....
କହ !
ସୁପ୍ତ, ଜାଗ୍ରତ, କଳ୍ପନା ନା ସ୍ବପ୍ନ
କୋଉଠି ତୋଳିଛୁ
ସେ ଓମ୍ କାର ?
ଆଜି ଯୋଉଠି
ମୂର୍ଚ୍ଛନା ତୋଳି ମରୁଭୂମିର
ମାଇଲ ମାଇଲ
ବାଲିଚଦର ...
ସେଠି
ସମୟର ଦୀପ ଜଳୁଛି
ଯୋଗୀଟିଏ ପରି ନିର୍ଲିପ୍ତେ,
ବାଲିଶେଜରେ
ଗାରେଇ ଅନାବନା ଗୋଟେ ଆକୃତି
"ତୋର"
ସେଇଠି ତୁ ....
ଆଉ
ମୁଁ
ଆଜି ବି
ସେଇ ଯା.. ଯା.. ବ.. ର ।
