ଅତୀତ କୁ ଖୋଜୁଛି
ଅତୀତ କୁ ଖୋଜୁଛି
ଆଖି ବନ୍ଦ କରି ବସି ବସି ଯେବେ ମୁଁ ଭାବେ,
ଏମିତି କାହିଁକି କେଜାଣି ସବୁ ତ ମୁଁ ଭୁଲୁଛି ଏବେ ।
ବେଳେ ବେଳେ ବଡ଼ କଷ୍ଟ ଦିଏ ଯେବେ କିଏ କହେ,
ଏ ତ ବୟସ ର ଦୋଷ, ଆଖିରୁ ଲୁହ ମୋର ବହେ ।
ଭାବେ ସତରେ ମୁଁ ଭୁଲି କି ଯାଇଛି ଏବେ ସବୁ,
ମନକୁ କହେ, ତୁ ଟିକେ ଭଲା ମୋତେ ବୁଝାଇ କହିବୁ ।
ମନ କହେ ଏତେ କିଆଁ ତୁ ଏବେ ହେଉଛୁ ବ୍ୟାକୁଳ,
ସବୁ ପରା ଏଠି ସେହି ଦଗାଦିଆ ସମୟ ର ଖେଳ ।
କେବେ କେବେ ସମୟ ତ ରଚିଥାଏ ଅଦଭୂତ ଖେଳ,
ତା ସଙ୍ଗେ କାଳ ବି ଦେଇଥାଏ ନାଚି ନାଚି ତାଳ ।
ଭଲ ତ ହୋଇଛି ଯେବେ କେହି କହେ ଭୁଲି ତୁ ଯାଇଛୁ,
ଭାବି ଭାବି ସେହି କଥା କାହିଁକି ଦୁଃଖ ତୁ କରୁଛୁ ।
ଯାହା କିଛି ବିତି ଗଲା, ସେ ତ ଫେରିବ ନାହିଁ,
ସବୁ ସେହି ସ୍ମୃତିରେ ଅଛି, କିଛି ବି ଲିଭି ନାହିଁ ।
ହଁ, କିଛି କଥା ତା ଭିତରେ ଏବେ ଲୁଚି ରହିଛି,
ସେବେ ବି ସେ ଲୁଚି ଥିଲା, ଅକୁହା ହୋଇ ଯାଇଛି ।
ସେ ତ ସବୁ ଥିଲା କିଛି ବେଦନା ଯାତନାର କଥା,
କିଛି ଥିଲା ବିରହ ବିଚ୍ଛେଦର ଦୁଃଖର ଦାରୁଣ ବ୍ୟଥା ।
କିଛି ଥିଲା ଖଟା ଖଟା କଥା ସେ ତ ଚପଳତାର,
ରହି ଗଲା ସେ ତ ଅଂଶ ହୋଇ ଅକୁହା କଥାର ।
ସାଥୀ ମୁଁ ମନ ସଦା ଅଛି ଦେଖ ତୁମରି ସାଙ୍ଗରେ,
ସତ ମୁଁ କହୁଛି, କିଛି ନାହିଁ ଦୋଷ ତୁମ ବୟସରେ ।
ଲୋକଙ୍କର ଅଭ୍ୟାସ ସଦା କିଛି କିଛି ସେ କହିବେ,
ତୁମେ କିଛି କୁହ ଅବା ନକୁହ, ତୁମ ଦୋଷ ଦେବେ ।
ତଥାପି କହୁଛ ଯଦି, ଖୋଲୁଛି ମୁଁ ସ୍ମୃତିର ଏବେ ଦ୍ୱାର,
ସେଠାରେ ତୁମେ ଯାଇ ସବୁ କିଛି ଏବେ ଦେଖିପାର ।
ମନ ଠାରୁ ଶୁଣି ସବୁ ମୋତେ ବଡ଼ ହାଲୁକା ଲାଗିଲା,
ତଥାପି ସ୍ମୃତିକୁ ଯାଇ ସବୁ କିଛି ଦେଖିବାକୁ ଇଚ୍ଛା ହେଲା ।
ହସି ଦେଇ ଆଖି ବୁଜି ମୁଁ ଧୀରେ ଧୀରେ ଯାଉଛି,
ସ୍ମୃତିକୁ ଯାଇ ଏବେ ମୁଁ ମୋର ଅତୀତ କୁ ଖୋଜୁଛି ।