ଅପରାହ୍ନ ଚିନ୍ତା ଚେତନା
ଅପରାହ୍ନ ଚିନ୍ତା ଚେତନା
ସକାଳ ସୁରୂଜ ମୂରୁଜ ବୁଣିଲା
ପୂରୁବ ନଭ ମଣ୍ଡଳେ
ପରିବର୍ତ୍ତନକୁ ସ୍ୱୀକାର କରି ସେ
ପହଞ୍ଚେ ମୁଣ୍ଡ ଉପରେ ।
ପ୍ରଚଣ୍ଡ କିରଣ ମାତଣ୍ଡ ଉଦ୍ଦାମ
ପ୍ରଖର କିରଣ ଛୁଟେ
ପରିବର୍ତ୍ତନକୁ ସ୍ୱୀକାରି ତପନ
ଓହ୍ଲାନ୍ତି ଆସ୍ତେ ପଶ୍ଚିମେ ।
ଜୀବନ ସତ୍ୟକୁ ସମ୍ମାନ ଦେଖାଇ
ଆଦିତ୍ୟ କର୍ତ୍ତବ୍ୟରତ
କର୍ମରୁ ଫେରିବା ସମୟକୁ ଚାହିଁ
ସଭିଏଁ ଅପେକ୍ଷାରତ ।
ଅପୂର୍ବ ଆଭାରେ ନଭ ବିମଣ୍ଡିତ
ପକ୍ଷୀକୂଳ ଫେରେ ଘରେ
ନୀଳ ନଭ ତଳେ ଅପୂର୍ବ ସୁଷମା
ବିଞ୍ଚି ହୋଇ ଯାଉଥାଏ ।
କିଚିରି ମିଚିରି ଶବଦେ ଏ ଧରା
ହେଉଥାଏ ବିମଣ୍ଡିତ
ଘରକୁ ଫେରିବା କଥା କାନେ କହେ
ଏଇ ଆମ ଅପରାହ୍ନ ।
ସୂରୁଜ ଦେବଙ୍କ ଉପସ୍ଥିତି ନେଇ
ସମୟ ନାମକରଣ
ଜୀବନ ଯାତ୍ରାର ପ୍ରତିଟି ସୋପାନ
ଏହି ତତ୍ତ୍ଵେ ପରିପୂର୍ଣ୍ଣ ।
ବାଳ ସୂରୁଜରେ ଶିଶୁ କୋମଳତା
ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ
ମଧ୍ୟାହ୍ନ ସୂରୁଜ ଯୌବନେ ମଣ୍ଡିତ
ଅଟେ ଶକତି ଆଧାର ।
ଚିରସ୍ଥାୟୀ ନୁହେଁ ନଶ୍ଵର ଶରୀର
ଅପରାହ୍ନ ନଇଁ ଆସେ
ନିଷ୍ପ୍ରଭ ହୁଅଇ ହୁଅଇ ଉଦ୍ଦାମତା ପୁଣି
ସନ୍ଧ୍ୟାର ଆଳତୀ ଶୁଭେ ।
ଜୀବନ ଜଞ୍ଜାଳେ ମଜ୍ଜି ରହି ତୁହି
ପାପ ପୂଣ୍ୟ ନ ବୁଝିଲୁ
ନିଷ୍ପ୍ରଭ ହେଉଛି ଇନ୍ଦ୍ରିୟର ସ୍ଥିତି
ଅପରାହ୍ନେ ପହଞ୍ଚିଲୁ ।
ଅପରାହ୍ନ ଅଟେ ପ୍ରଭୁଙ୍କ ଇସାରା
ନିଜକୁ ସଜାଡି ନେଏ
କାଳରାତ୍ରୀ ପୁଣି ଆସିବା ପୂର୍ବରୁ
ଲାଗି ଯା' ଲକ୍ଷ୍ୟ ପୁରଣେ ।
ଅପରାହ୍ନେ ବସି ନିଜକୁ ପଚାରେ
ପାପ ପୂଣ୍ୟ ପରିଭାଷା
ତୋ ପାପ ପୁଣ୍ୟର ହିସାବ ତୁ କର
ପ୍ରଭୁ ଚିନ୍ତା କରି ଯାଆ ।
ଅପରାହ୍ନେ ତୁହି ତୋ ମନୋଭୂମିକୁ
ବେଉଷଣ କରି ନେ
ଅନ୍ୟର କଥାରେ ମୁଣ୍ଡ ନ ଖେଳାଇ
ଆତ୍ମାର ଡାକ ଶୁଣି ନେ।
ଚିନ୍ତା ଚେତନାରେ ଭରିଦେ ତୁହି
ପ୍ରଭୁ ଚିନ୍ତନର ଧାରା
ଆତ୍ମ ଚେତନାରେ ଆତ୍ମ ନିରୀକ୍ଷଣ
କରିବାକୁ ଭୁଲି ନ ଯାଆ ।
ଅପରାହ୍ନେ ଆସି ଚିନ୍ତା ଚେତନାରେ
ସକରାତ୍ମକ ଭାବ ଭର
ମଣିଷ ଜୀବନ ଅସଲ ଉଦ୍ଦେଶ୍ୟ
ବୁଝିବାକୁ ଚେଷ୍ଟା କର
ଯେତିକି ସମୟ ହାତରେ ଅଛିରେ
ମନେ ପ୍ରସନ୍ନତା ଭର ।
ମଣିଷ ଜୀବନ ଶ୍ରେଷ୍ଠ ସୃଷ୍ଟି ପରା
ପ୍ରଭୁଙ୍କର ଏ ଜଗତେ
ଶ୍ରେଷ୍ଠ ସୃଷ୍ଟି ହୋଇ ଶ୍ରେଷ୍ଠତା ଦେଖାଇ
ପ୍ରଭୁଙ୍କୁ ଖୁସି କରି ଦେ ।
ଅପରାହ୍ନ ଖାଲି ଅପରାହ୍ନ ନୁହେଁ
ଦିଏ ଜୀବନର ବାର୍ତ୍ତା
କଳା ଅନ୍ଧକାରେ ହଜିଯିବା ଆଗୁ
ନିଜକୁ ସଜାଡି ଦେବା ।