ଅନୁରୋଧ
ଅନୁରୋଧ
ଆହେ ଶ୍ରେଷ୍ଠ ଶିଳ୍ପୀରାଜ ଏହି ସୃଷ୍ଟି ତୁମ ସଜ
ଶୋଭାବନ ବର୍ଣ୍ଣିବି କିପରି ,
ତୁମେ ସ୍ରଷ୍ଟା ନିରାକାର ସର୍ବବ୍ୟାପି ଅଣାକାର
ଧନ୍ୟ ପ୍ରଭୁ ତୁମ କଳାକାରୀ ।
ତୁମ ପାଇଁ ରାତି ଦିନ ସୂର୍ଯ୍ୟ,ଚନ୍ଦ୍ର କି ଶୋଭନ
ବିଭାବରୀ ଶୀତଳ ଜୋଛନା,
ପର୍ବତ , ବନ କାନନ ଝରଣାର କୁଳୁ ତାନ
ସବୁ ପ୍ରଭୁ ତୁମରି ସର୍ଜନା ।
ତୁମରି ଆଦେଶେ ପରା ହୋଇଥାଏ ଛାଇ ଖରା
ପୃଥିବୀକୁ କଲ ସବୁଜିମା,
ଯାହା ଯାହା ଦରକାର ବଞ୍ଚିବା ପାଇଁ ଆହାର
ଖଞ୍ଜିଦେଲ କି, ଦେବି ଉପମା ।
ଏ ମାଟିର ପ୍ରତି ଅଣୁ ତୁମ ସୃଷ୍ଟି ଆମେ ଜାଣୁ
ପୂର୍ଣ୍ଣତାର ନବ ପରକାଶ,
ପ୍ରଭାକରଙ୍କ ପ୍ରକାଶ ଢ଼ାଳେ ପରାଣେ ପୀୟୂଷ
ବିତଇ ପ୍ରତ୍ୟୁଷରୁ ପ୍ରଦୋଷ ।
ଅସୀମ ନୀଳ ଆକାଶ ନୀଳିମାର ନାହିଁ ଶେଷ
ବୁଣିଦିଏ ଆଲୋକ ପସରା,
ଜୋଛନାର ଆଲିଙ୍ଗନେ ତାରା,ଜହ୍ନଙ୍କ ମିଳନେ
ତୁମ ଇଚ୍ଛାରେ ହସଇ ଧରା।
ଜଗତେ ଜୀବନ ବିନ୍ଦୁ ତୁମରି ଦାନରେ ସିନ୍ଧୁ
ବିତିଯାଏ ବରଷ ବରଷ,
ପ୍ରକୃତି ପ୍ରତିମ କୋଳେ ତୁମରି ଆଶିଷ ବଳେ
ଜୀବନର ଆରମ୍ଭରୁ ଶେଷ।
ଷଡ଼ ଋତୁ ଏ,ଧରାରେ ତୁମ ଇଚ୍ଛା ଅନୁସାରେ
ସଂଜୀବନୀ ସୁଧା ବରଷାନ୍ତି ,
ଶ୍ରେଷ୍ଠ ଶିଳ୍ପୀ କାରିଗର କଳା ଯା, ଏତେ ସୁନ୍ଦର
ପ୍ରତି ପ୍ରାଣେ ଭରି ଦିଅ ଶାନ୍ତି ।
ସୃଷ୍ଟି ଲାଗେ ମଧୁମୟ ତବ କୃପା ଇଚ୍ଛାମୟ
ଅନୁରୋଧ ଦେବ ପୁନର୍ଜନ୍ମ ,
ଦେଖୁଥିବି ନେତ୍ର ଭରି ସୁନ୍ଦର ସୃଷ୍ଟି ତୁମରି
ଏହି ପ୍ରଭୁ ମୋର ମନସ୍କାମ ।