ଅନନ୍ତ ଶୟନ
ଅନନ୍ତ ଶୟନ
ବିଷ୍ଣୁଙ୍କ ଅନନ୍ତ ଶୟନ ବେଳାରେ
ଜଳ ପ୍ରଳୟର ସ୍ଥିତି
କର୍ଣ୍ଣ ମୂଳରୁ ହିଁ ଦୁଇଟି ଦାନବ
ଜାତ ହୋଇଲେ ସମ୍ପ୍ରତି
ମଧୁ ଓ କୈଟଭ ନାମେ ଦୁଇ ଦୈତ୍ୟ
ବ୍ରହ୍ମାଙ୍କୁ ଦେଖି ତ୍ୱରିତ
ଯୁଦ୍ଧ ପାଇଁ ଦୁହେଁ ବାଧ୍ୟ କଲା ପରେ
ବ୍ରହ୍ମା ହେଲେ ବିଚଳିତ
ଯୋଗମାୟାଙ୍କୁ ହିଁ କରିଲେ ସ୍ମରଣ
ବିଷ୍ଣୁଙ୍କ ସାହାଯ୍ୟ ପାଇଁ
ମାୟା ବିସ୍ତାରିତ ହେଲା କାଳ କ୍ରମେ
ହତ ହେଲେ ଦୈତ୍ୟ ଦୁଇ
ମଧୁ ଓ କୈଟଭ ଦୈତ୍ୟଙ୍କ ମେଦ ରୁ
ହେଲା ମେଦିନୀ ଉତ୍ପତ୍ତି
ସ୍ଥିର ଓ ଅଚଳ ରଖିବା ଦାୟିତ୍ଵ
ନ୍ୟସ୍ତ ଅନନ୍ତଙ୍କ ପ୍ରତି
ମୁନି କଶ୍ୟପ ଓ କଦ୍ରୁ ଔରସରୁ
ଶେଷଦେବ ସେ ଅନନ୍ତ
କ୍ରମେ ଏ ପୃଥିବୀ ଧାରଣ କରିଲେ
ବ୍ରହ୍ମା ବର ଆଧାରିତ
ବିଷ୍ଣୁଙ୍କର ପ୍ରତି ଅବତାର ସାଥେ
ଅନନ୍ତ ହିଁ ସହଚର
ସୃଷ୍ଟି ସର୍ଜ୍ଜନାର ଅୟମାରମ୍ଭରୁ
ବିଷ୍ଣୁଙ୍କ ନିକଟତର
ତ୍ରେତା ରେ ସୁମିତ୍ରା ନନ୍ଦନ ଲକ୍ଷ୍ମଣ
ବଳରାମ ଦ୍ୱାପରରେ
ଦାରୁ ମୂର୍ତ୍ତି ରୂପେ ପୁଣି ବଳଭଦ୍ର
ଶେଷ ନାଗଙ୍କ ରୂପରେ
ନାହିଁ ଆଦି ଅନ୍ତ ଯାର ସେ' ଅନନ୍ତ
ବର୍ଣ୍ଣନା ଶକ୍ତି ବାହାରେ
ଅନନ୍ତ ଶୟନ ମୁଦ୍ରାରେ କେବଳ
ଜାଗ୍ରତ ପ୍ରତି ସ୍ଥିତିରେ
ଭୂଦେବୀ ଶ୍ରୀଦେବୀ ନିତ୍ୟ ସେବାକାରୀ
ଯୋଗ ନିଦ୍ରା ବିଷ୍ଣୁଙ୍କର
ଅନନ୍ତ ବ୍ରତର ବିଧାନ ରହିଛି
ଭକ୍ତି ଭାବର ଆଧାର
ଶ୍ରୀମନ୍ଦିର ନୀତି ଅଛି ନିର୍ଦ୍ଧାରିତ
ହରି ଶୟନ ନାମରେ
ଚାରି ମାସ କାଳ ଅନନ୍ତ ଶୟନ
ଧର୍ମ ଶାସ୍ତ୍ର ଆଧାରରେ
ଆଷାଢ଼ ର ଶୁକ୍ଲ ଏକାଦଶୀ ଠାରୁ
ଦୀର୍ଘ ଚାରିମାସ ମାନ୍ୟ
କାର୍ତ୍ତିକ ର ଶୁକ୍ଲ ଏକାଦଶୀ ଯାଏଁ
ଧାରା ହିଁ ହରି ଶୟନ
ସ୍ଵୟଂ ପରଂବ୍ରହ୍ମ ଦାରୁବ୍ରହ୍ମ ରୂପେ
ପୁଣି ନାହିଁ ଆଦି ଅନ୍ତ
ଅନନ୍ତ ଅସୀମ ମହିମା ଯାହାର
ଅବର୍ଣ୍ଣନୀୟ ପ୍ରାୟତଃ