ଅନନ୍ତ ପିପାସା
ଅନନ୍ତ ପିପାସା
ଶୁନଶାନ ଆକାଶରୁ ମାଟି
ନିଥର ,ନୀରବ, ନିଃଶବ୍ଦ
ବାୟା ଚଢେଇଙ୍କ କିଚିରିମିଚିରି
ପୁଣି ମୃଦୁ କୋଳାହଳ ,
ପତ୍ରଝଡା ଥୁଣ୍ଟା ବରଗଛର
ବୁକୁଫଟା କରୁଣ ସୀମାହୀନ ସ୍ବର
ଶୁଖିଲା ଘାସଗଛ ତଳେ ଯାହା
ଅଳସୀ ସଂଧ୍ୟାର ଅଶ୍ରୁତର୍ପଣ ।।
ଉଦାସ ବଉଦମାନଙ୍କ ଟଣାଓଟରା
ସକାଳରୁ ସଂଜ
ପୁଣି ରାତିର ନୀରବ ପ୍ରହର ,
କଂଚାଳିଆ ଜହ୍ନରାତି
ମ୍ଳାନ ଓ ମଉନ
ଅମାବାସ୍ୟାର ବହଳିଆ ଅନ୍ଧକାର ଠାରୁ
ଆହୁରି ଘନ, ଆହୁରି କୃଷ୍ଣ ,
ହଜିଯାଏ ପୂର୍ଣ୍ଣଚନ୍ଦ୍ର
ଦିକିଦିକି ପାହାନ୍ତିଆ ତାରା
ଆକର୍ଷଣହୀନ କଅଁଳ ପବନ ।।
ମଧୁର ସମ୍ପର୍କର ଲମ୍ବା ଡୋର
ବିଶ୍ବାସର ନଟେଇରୁ ଲମ୍ବି ଲମ୍ବି ଯାଏ ସିନା
ପହଞ୍ଚି ପାରେନା ମୁକୁଳା ଆକାଶ
ଛୁଇଁ ପାରେନା ଜହ୍ନ, ତାରା ;
ସନ୍ଦେହର ଅନାବନା ଗଛ
ଶାଖା ପ୍ରଶାଖା ମେଲେ
ଖିଲି ଖିଲି ହସେ ସମୟର ପାଳଭୂତ
ବାଡିପଟ ଉଈହୁଙ୍କା ନାକଟେକେ ,
ଭାଙ୍ଗିଯାଏ ରଙ୍ଗିନ ଆବରଣ
ଏକ ଖିଆଲି ମନର
କିଛି ସ୍ବପ୍ନ, କିଛି ସ୍ମୃତି ଓ କିଛି ବାସ୍ତବତାର ।।
ତୁଟିଯାଏ ମୋହ କାଗଜ ଡଙ୍ଗାର
ଓହ୍ଲାଇ ଯାଏ ସବୁ ଚଂଚଳତା
ଡେଇଁପଡେ ଯେତେ ବାଚଳାମୀ
ଅଥଳ ସମୁଦ୍ର ଗର୍ଭକୁ ,
ମାଡି ଆସେ ମେଘ ,ଢାଙ୍କିଯାଏ ଛାଇ
ବର୍ଷିଯାଏ ଅସରା ଅସରା
ଅନ୍ବେଷଣର ଅନନ୍ତ ପିପାସା
ଘୂରିବୁଲେ ଏ କୂଳ ସେ କୂଳ
ଲିଭିଯାଏ ଛବି
ମଉଳିଯାଏ ମାନଚିତ୍ର ଜୀଇଁବା ର
ଝାପସା ଲାଗେ ଅକ୍ଷ୍ୟାଂଶ ,ଦ୍ରାଘିମା
ଅସମତଳ,ଅସଂଲଗ୍ନ
ଓ ଅସଂପୂର୍ଣ୍ଣ ଜୀବନ ରେଖାର ।।
ବୁନ୍ଦା ବୁନ୍ଦା ଲୁହ ଓ ଅସରନ୍ତି କୋହକୁ
ହାତ ପାପୁଲିରେ ଜାବୁଡିଧରି
କ୍ଳାନ୍ତ ଅପରାହ୍ନର ନିର୍ଯ୍ୟାସ ଖୋଜୁଥିବା
କଙ୍କାଳସାର ମଣିଷଟିଏ
ତଥାପି ଖୋଜିଚାଲେ
ଉତ୍ତର ମେରୁ, ଦକ୍ଷିଣ ମେରୁ
କ୍ରାନ୍ତିକାରୀ ଚେଷ୍ଟାରେ ପାଦ ଥାପେ
ପାଇବାକୁ ମଧୁର ଶବ୍ଦଟିଏ
ଛାତିର ଦର୍ପଣରେ ଦେଖିବାକୁ
ପ୍ରୀତି ଓ ମୈତ୍ରୀର ସୁନ୍ଦର ଚିତ୍ରପଟଟିଏ ।।