ଅନ୍ଧାଧୁନିକ
ଅନ୍ଧାଧୁନିକ


ମାତିଛୁ ଆମେ ଅମୁହାଁ
ଅଫେରା ପ୍ରତିଯୋଗିତାରେ
ଭୁଲିଛୁ ମଣିଷପଣିଆ
ପଡି ଯାନ୍ତ୍ରିକ ମୋହରେ!!
ବନ୍ଧା ପଡିଛି ଆମ ସ୍ୱାଭିମାନ
କେଇଟା ମୁଦ୍ରାର ବିନିମୟରେ
ବିକିଛୁ ମସ୍ତିଷ୍କ ମସ୍ତକ
ପଡୋଶୀ ବିଦେଶୀ ମୁଲକରେ!!
ଖଟୁଛୁ ଦାଦନ ପରଘରେ
ଅସୀମ ଆପାର ଆନନ୍ଦରେ
ପୋଷିଛୁ ନାନାଦି ବ୍ୟାଧି
ଆପଣା ଚହଟ ଚିକ୍କଣ ଶରୀରରେ!!
ଅହର୍ନିଶି ରସୁଛୁ ମନ ପ୍ରାଣ
ପିଜା ବର୍ଗର୍ ନୁଡୁଲସ୍ ବିଷରେ
ଶୁଆ ପରି ରଟୁଛୁ ପରଭାଷା
ସ୍ଥାନ କାଳ ପାତ୍ର ନିର୍ବିଶେଷରେ!!
କରିଛୁ ଅଣଦେଖା ଭିଟାମାଟିର ଭିଜାବାସ୍ନା
କର୍ମ ସଂସ୍ଥାନ ଅନ୍ୱେଷଣରେ
ପର ହୋଇଯାଇଛି ପଖାଳ କଂସା
ସମୟ ନଦୀର କରାଳ ସ୍ରୋତରେ!!
ମେଣ୍ଟୁଛି ମନର ଅତୃପ୍ତ ତୃଷ୍ଣା
ସୁରା ଓ ସାକୀର ସାହାରାରେ
ପାଶେ ନାହିଁ କେହି ଆପଣାର
ତୋଳିନେବା ପାଇଁ ପଣତକାନିରେ!!
ଅନ୍ତରାତ୍ମା ଦଗ୍ଧ ହେଉଛି ଅବାରିତ
ଯତ କିଞ୍ଚିତ ବିବେକର ଦଂଶନରେ
ତଥାପି ଧାଇଁବାକୁ ପଡୁଛି ବାଧ୍ୟରେ
ଜୀବନର ଅଦୃଷ୍ଟ ଅଘୋଷିତ ଦୌଡ଼ରେ!!