ଅମୂଲ୍ୟ ଜୀବନ
ଅମୂଲ୍ୟ ଜୀବନ


ସକାଳୁ ସକାଳୁ ଫୁଲଟିଏ ଦେଇ
ଆଈକୁ କହିଲେ ଅଜା
ଆଇ ଲଭ ଇଉ ସୁଇଟି ହାଆର୍ଟ
ଚାଲୁନୁ ଲୁଟିବା ମଜା ।
ଏକଷଠିତମ ବିବାହ ବାର୍ଷିକେ
ଜୀବନର ଶେଷବେଳେ
ନଉକା ବିହାର କରିବା ଟିକିଏ
ପ୍ରକୃତିର ସାଥୀମେଳେ ।
ଝିପିଝିପି ବର୍ଷା ପଡୁଥିଲା ଝରି
ଅଜା ଧରିଥିଲେ ଛତା
କଦଳୀ ପତର ମୁଣ୍ଡରେ ଘୋଡେଇ
ଆଈର ନଥିଲା ଚିନ୍ତା ।
ବଙ୍କୁଲି ବାଡ଼ିରେ ଆହୁଲା ମାରିଣ
ଅଜା ଚଳାଇଲେ ନାଆ
ଆଈ ବସିଥିଲା ନଉକାକୁ ଧରି
ବହୁଥିଲା ମୃଦୁ ବାଆ ।
କିଛି କ୍ଷଣ ପାଇଁ ଖୋଲା ହୃଦୟରେ
ହସୁଥିଲେ ଅଜା ଆଈ
ଅମୂଲ୍ୟ ଜୀବନ ଉପଭୋଗ କର
ବାର୍ତ୍ତା ଯାଉଥିଲେ ଗାଇ ।