ଅମୃତପୁତ୍ର
ଅମୃତପୁତ୍ର
ଅମୃତପୁତ୍ର ମୁଁ ମରିବା ଜାଣେନା
ବଞ୍ଚିବାରେ ମୋର ଅଧିକାର।
ମରି ମରି କରି ନିତି ବଞ୍ଚିବାଟା
ମରଣଠୁ ବଳି ଭୟଙ୍କର।
ମରଣକୁ ମୁହିଁ ଚିହ୍ନିନି ଏଯାଏଁ
ଜୀବନ ସାଥେ ମୋ ପରିଚୟ।
ସେ ଜୀବନ ସୁଧା ନ ପିଇ ମୁଁ କିମ୍ପା
ଜୀବନ କରିବି ଅପଚୟ !
ସତ ଶାନ୍ତି କ୍ଷମା ଦୟା ସ୍ନେହ ପ୍ରେମ
ଜୀବନପାତ୍ରେ ମୋ ଭରପୂର।
ହିଂସା- ଦ୍ୱେଷ- ସ୍ଵାର୍ଥେ ବିଜଡିତ ହୋଇ
ମରିବି ମୁଁ କିମ୍ପା ବାରମ୍ବାର !
ହୃଦ ମୋ ବିଶାଳ ଅନନ୍ତ ଆକାଶ
ବିଶ୍ଵ ରହିପାରେ ତା ଭିତର।
ସ୍ନେହ ଓ ପ୍ରେମର ପରଶେ କ୍ଷଣିକେ
କରିପାରେ ବିଶ୍ଵ ମୁଁ ନିଜର।
ସାରା ଦୁନିଆରେ ସ୍ନେହ ପ୍ରେମ ବାଣ୍ଟି
କରିବି ନିଜକୁ ପ୍ରସାରିତ।
ବୃଥା ଅହଙ୍କାର ହୃଦୟରେ ବହି
ହେବି କିମ୍ପା ମୁହିଁ ସଙ୍କୁଚିତ !
ସଙ୍କୁଚିତ ହେବା ଅଟଇ ମରଣ
ଜୀବନର ମାନେ ପ୍ରସାରଣ।
ତୋର -ମୋର ଭାବେ ହୋଇ ସଙ୍କୁଚିତ
ମରିବି ନାହିଁ ମୁଁ ଅନୁକ୍ଷଣ।