ଅମୃତ ମହୋତ୍ସବ-୧
ଅମୃତ ମହୋତ୍ସବ-୧
ସ୍ଵଧିନ ଭାରତ ଅମୃତ ଉତ୍ସବ ପଞ୍ଚସ୍ତରି ବର୍ଷ ଭୋଗ
ତଥାପି ଦାରିଦ୍ର୍ୟ ଅନଗ୍ରସରତା ସଙ୍ଗେ ନୂଆ ନୂଆ ରୋଗ ଆର୍ତ୍ତ ଚିତ୍କାର ମହୁରୀ
ବିଳାପ ମୂର୍ଛନା ରୋଳେ ମୁଖରିତ ବିଷ ବଳୟ ବିସ୍ତାରି ।
ଖାଦ୍ୟାର୍ଥେ ଜୀବନ ବିକଳେ ଦେଖି “ଆଖି ପାଣି ଆଖି ଭିତରେ
ମାରିବାକୁ ବାଧ୍ୟ” ମୁଦ୍ରାସ୍ପିତି ଧଳା ହାତୀ ଖାଏ ବସି ଉପରେ
“ଗୁହାରି ବା କା ଆଗରେ
କରିବୁ”କହିଲେ ବିପଦ ଏମିତି ନକହିବା ଭଲ ଏଠାରେ ।
କଂକାଳ ଦୁର୍ବଳ ମଣିଷ ଜୀବନେ ସ୍ଵାଧିନତା ଏକ ଭେଳିକି
ଭଳି ଲାଗୁଅଛି ସଂସ୍କୃତି ଗଲାଣି ଜାଳ କାଠ ସମ ଚୁଲିକି
ଛେଳି ଅଡୁଆ ମାଳିକି
ଫୁଲ ଗୁନ୍ଥୁଗୁନ୍ଥୁ ଛେଳି ଫୁଲ ଖାଏ ଘର ଯାଉଅଛି ଦୁଲୁକି ।
ପବନେ ଉଡଇ ଜାତୀୟ ନିଶାଣ ସ୍ଵାଧିନତା କେତେ ଦୂରେ
ଯାହା ଥିଲା ତହୁଁ ଦୈନ୍ୟତା ଅଧିକ ଖାଲି ଯା ରଙ୍ଗ ବଦଳେ
ସୁବର୍ଣ୍ଣ ଯୁଗ ସପନ
ସପନେ ରହିଲା କଂକାଳ ବିକଳ ଉପଭୋଗ କରେ ସୈତାନ୍ ।
ଲଗାମ ଛଡା ଏ ଘୋଟକ ପ୍ରକାର ଦଉଡେ ବଜାର ଦର
ଖାଉଟି ମୁଣ୍ଡରେ ଅକାଳ ଚଡକ କରେ ବିବ୍ରତ ଅସ୍ଥିର
ନୌକା ନାଉରୀ ବିହୀନ
ସମ ଟଳମଳ ଅଗାଧ ଜଳରେ କାହିଁ ଆଉ ପରିତ୍ରାଣ ।
ଚିନ୍ତା ଚେତନାର ସମାଧି ଉପରେ ଉଡୁଛି ଏ କେଉଁ ନିଶାଣ
ଅଜ୍ଞାନ ଅନ୍ଧାରେ ଛଟପଟ ହୁଏ ଏଠାରେ ଅନେକ ଜୀବନ
ତଥାପି ମନେ ଉତ୍ସାହ
ଜାଗି ଉଠେ କେଉଁ ନିଭୃତ କନ୍ଦରୁ ଅମୃତ ଉତ୍ସବ ପ୍ରବାହ ।
ସମାଜ ଅଥର୍ବ ନିଶ୍ଚଳ ନିରବ କରେ କହ କେଉଁ ମାନ୍ଧାତା
ରିତିମତ ଏକ ଚକ୍ରାନ୍ତେ ଜୀବନ ଏଇ କିବା ସ୍ଵାଧିନତା
ଲୋଡା ନାହିଁ ଏଇ ନୀତି
ବଞ୍ଚିବାର ପଥ ଅନ୍ଧାରେ ଅଦୃଶ୍ୟ ନାହିଁ ଯହିଁ ଗତି ମୁକ୍ତି ।
ଜାଗରେ କଂକାଳ ଜାଗରେ ଦୁର୍ବଳ ଯାଗ ଭୋକି ଶୋଷି ରଙ୍କି
ଛିଣ୍ଡାଇ ଦିଅରେ ସ୍ଵାର୍ଥପରତାର ଶୃଂଖଳ ଦିଅ ରେ ଭାଙ୍ଗି
ଅଖଣ୍ଡ ଭାରତ ମାତା
ରଚିବା ପାଇଁକି ପୂର୍ଣ୍ଣ ଅବୟବ ଉଡାଇ ଦିଅ ତ୍ରିରଙ୍ଗା ।
ଏକ ମନ ଏକ ଐକ୍ୟ ଭାବ ଭୋଳେ ଜାତୀୟ ଝଣ୍ଡାର ତଳେ
ସ୍ଵାର୍ଥକୁ ଆହୁତି ମନବୃତି ଯେବେ ଅଛିତୋର ହୃଦୟରେ
ୟେ ଅମୃତ ମହୋତ୍ସବ
ଖୋଲିଦେଉ ଆଖି ଆଦୃତ ହେଉରେ ସତେକି ହେବ ସମ୍ଭବ ।