ଅଳିକ ଶୂନ୍ୟତା
ଅଳିକ ଶୂନ୍ୟତା
ତୁମର ଆସିବାର ଥିଲା
ମାତ୍ର ତୁମେ ଆସିଲ ନାହିଁ
ଅଭିମାନରେ ଅବା ସ୍ବେଚ୍ଛାରେ
ତାହା କେବଳ ତୁମକୁ ହିଁ ଜଣା
ତୁମ ପାଇଁ ଥିଲା ମୋର
ଅନନ୍ତ କାଳର ପ୍ରତୀକ୍ଷା
ତାରୁଣ୍ୟର ଦୃଢ଼ ପ୍ରତିଜ୍ଞାରେ ।
ଅନେକ ପ୍ରତୀକ୍ଷାର ଅବସାନ ପରେ
ବି ତୁମେ ଆସିଲ ତ ନାହିଁ
ବୋଧହୁଏ ଏହା ବିଧି ନିର୍ଦ୍ଧିଷ୍ଟ
କାରଣ ତୁମେ ଅଲ୍ଲଂଘ୍ଯ ଦୂରତ୍ବରେ
ଥାଇ କରି ଦେଇଥିଲ ମୋତେ ପର
ପ୍ରଶ୍ନ ଉଠାଇନି ଏଠି କିଏ ତ୍ଯାଗୀ
କିଏ ନିଷ୍ଠୁର ନିର୍ଦ୍ଦୟୀ ସ୍ବାର୍ଥପର ?
ନିୟତି ଯେ ସବୁ କାଳେ କରୁଥିବ
ମୋହରି ଭାଗ୍ୟ ନିର୍ଦ୍ଧାରଣ
ଶୂନ୍ୟତାରେ ଭରିଯିବ ମୋହର ଜୀବନ
ତୁମ ବିହୁନେ ହୋଇବ ଶୂନ୍ୟସ୍ଥାନ
ଏଇ ସିଦ୍ଧାନ୍ତ ମୋ ପାଇଁ ନୁହଁଇ ଅକାଟ୍ଯ
ମୁଁ ନୁହେଁ, ନିୟତି ମୋର ଇଚ୍ଛାଧୀନ ।
କାହାରି ବି ଶୂନ୍ୟସ୍ଥାନ ନୁହେଁ ଚିରନ୍ତନ
ଏକଇ ବିହୁନେ ଆରେକ ଭରିଦିଏ
ଜୀବନେ ପୂର୍ଣ୍ଣତାର ସାନନ୍ଦ
ଯିବା ଆସିବା ତ ଲାଗି ରହିଛି
ତୁମେ ନ ଆସିଲ ନାହିଁ
ଆଉ କେହି ତ ଆସିଗଲା
ତୁମ ଶୂନ୍ୟସ୍ଥାନ ପୁରଣ କରିବାକୁ
ତାହାର ଆଗମନରେ ପୁଣି ଏଇ
ଜୀବନରେ ଖୁସି ଭରିଗଲା ।
ତୁମର ବିଚ୍ଛେଦକୁ ନେଇ
ଭଗ୍ନ ମନୋରଥରେ ଦୁଃଖ କରିବାର ନାହିଁ
ଭାଗ୍ୟକୁ ନିନ୍ଦିବାର ନାହିଁ
କି ତୁମକୁ ଦୋଷ ଦେବାର ନାହିଁ
ତମେ ନ ଆସି ବରଂ ଭଲ କରିଛ
ମୋର ନ ହେଲେ ନାହିଁ
ଆଉ କାହାର ଜୀବନ ମରୁକୁ
ତୁମେ ମରୂଦ୍ଯାନର ଶ୍ୟାମଳିମାରେ ଭରିଛ ।