ଅଲେଖା ଫରଦ
ଅଲେଖା ଫରଦ
ଜୀବନଟା ମୋର ଅଲେଖା ଫରଦ
ଅଲେଖା ହିଁ ରହିଗଲା
ଲେଖିବାକୁ କେବେ କଲମ ନାହିଁତ
କେବେ କାଳି ସରିଗଲା।
ସାଦା କାଗଜର ଫରଦ ଭିତରେ
ଖୋଜିବାକୁ ଯେବେ ବସେ
ଜୀବନଟା ଏକ ଶୁଷ୍କ ମରୁଭୂମି
ଜଳ ବିନା ମରୁ ଦିଶେ।
କାଳିର ଦୁଆତ ଧରି ମୁଁ ବସିଲି
କାଠି କଲମକୁ ଧରି
ଲେଖିଲା ବେଳକୁ ରଙ୍ଗହୀନ ହେଲା
ଅକ୍ଷର ଲୁଚିଲା ଖାଲି।
ସମୀର ପରଶେ ଫର୍ଦ୍ଦ ଉଡୁଥିଲା
ସମୟ ଖେଳିଲା ଦୋଳି
ବିନ୍ଦୁ ବିସର୍ଗର ଚିହ୍ନବର୍ଣ୍ଣ ନାହିଁ
ଅଳଙ୍କାର ଖୋଜା ଖାଲି।
ବସନ୍ତ ଆସିଲା ରଙ୍ଗ ଭରିଦେଲା
ହାତେ ଧରି ପିଚକାରୀ
ରଙ୍ଗ ବୋଲି ଭାବି ବୋଳିଦେଲା ଯେବେ
ରଙ୍ଗହୀନ ହୋଇ ଗଲି।
କଣ୍ଟାରେ ଚାଲିଛି ଫୁଲ ବୋଲି ଭାବି
ମନଦୁଃଖ କରିନାହିଁ
ଅମୃତ ଭାବି ତ ବିଷ ମୁଁ ପାଇଛି
କାହା ଦୋଷ ଦେଇ ନାହିଁ।
ତଥାପି ତ ବିହି ଜୀବନକୁ ମୋର
ଅଲେଖା ତ ରଖିଦେଲା
ଲେଖିବା ହାତର ଅଭାବ ଦେଖାଇ
ବର୍ଣ୍ଣ ସବୁ ଚିରି ଦେଲା।
ବାକିଥିବା ଆଉ କେତୋଟି ଫରଦ
ମଳିନ ତ ଦିଶିଲାଣି
ସମୟ ତାହାର କେବେ ପୁରିଯିବ
ବିହି ପରା ଲେଖିଲାଣି।
କଲମ ପାଇଲେ କାଳି ତ ପାଉନି
ସବୁତ ଯାଉଛି ହଜି
କପାଳେ ମୋହର ଲେଖିଛି ଯା ବିହି
ପଢିପାରୁନାହିଁ ଆଜି।