ଅକୁହା କଥା
ଅକୁହା କଥା
ବସନ୍ତ ଭାବିଲା
ତାର ଆଗମନେ
ମଧୁ ମଳୟ ତ ବହିବ।
ମଳୟ ରୁଷିଲେ
ବସନ୍ତ ଉପରେ
କା ଆଗେ ବସନ୍ତ କହିବ?
ବରଷା ଭାବିଲା
ତାର ଆଗମନେ
ବନରେ ମୟୂରୀ ନାଚିବ।
ମୟୂରୀ ରୁଷିଲେ
ବରଷା ଉପରେ
କା ଆଗେ ବରଷା କହିବ?
ମଣିଷ ଭାବିଲା
ତାର ସବୁ ଅଳି
ପ୍ରକୃତି ରାଣୀ ତ ସହିବ।
ପ୍ରକୃତି ରୁଷିଲେ
ମଣିଷ ଉପରେ
କା ଆଗେ ମଣିଷ କହିବ?
କଳୀ ଭାବିଥିଲା
ପରାଗ ସମୟେ
ମଧୂପ ତାହାକୁ ଚୁମିବ।
ମଧୂପ ରୁଷିଲେ
କଳୀକା ଉପରେ
କାହା ଆଗେ କଳୀ କହିବ?
ପଙ୍କଜ ଭାବିଲା
ପ୍ରଭାତ ସମୟେ
ରବି କର ତାକୁ ଛୁଇଁବ।
ସୂରୁଜ ରୁଷିଲେ
ପଙ୍କଜ ଉପରେ
କା ଆଗେ ପଙ୍କଜ କହିବ?
କୁମୁଦ ଭାବିଲା
ସଞ୍ଜ ନଇଁଗଲେ
ଚନ୍ଦ୍ରମା ପରଶ ପାଇବ।
ଚନ୍ଦ୍ରମା ରୁଷିଲେ
କୁମୁଦ ଉପରେ
କା ଆଗେ କୁମୁଦ କହିବ?
ପ୍ରିୟତମ ଭାବେ
ପ୍ରିୟତମା ମୁଖେ
ସବୁଦିନେ ହସ ଦେଖିବ।
ପ୍ରିୟା ଯଦି ରୁଷେ
ତା ପ୍ରିୟ ଉପରେ
କାହା ଆଗେ ପ୍ରିୟ କହିବ?
କ୍ଷେତ ଭାବିଥିଲା
ତା ମନ କଥାକୁ
ଚଷାଭାଇ ପରା ବୁଝିବ।
ଚଷାଭାଇ ଯେବେ
ରୁଷେ ତା ଉପରେ
କାହା ଆଗେ କ୍ଷେତ କହିବ?
ମାଆ ଭାବିଥିଲା
ତା ମନ କଥାକୁ
ପୁଅ ତାର ନିଶ୍ଚେ ବୁଝିବ।
ପୁଅ ଯେବେ ରୁଷେ
ତା ମାଆ ଉପରେ
କାହା ଆଗେ ମାଆ କହିବ?
କବିତା ଭାବିଲା
ତା ମନ କଥାକୁ
ପାଠକ ତାହାର ବୁଝିବ।
ପାଠକ ରୁଷିଲେ
କବିତା ଉପରେ
କା ଆଗେ କବିତା କହିବ?
ଓଡିଆ ଭାଷା ତ
ଭାବିଥିଲା ମନେ
ତା ପାଇଁ ଓଡ଼ିଆ ଜୁଝିବ।
ଓଡ଼ିଆ ରୁଷିଲେ
ତା ଭାଷା ଉପରେ
ଭାଷା କଥା କିଏ ବୁଝିବ?