ଅଜଣାରୁ ଜଣା
ଅଜଣାରୁ ଜଣା
ଅଜଣା ପଥର ପଥିକ ଟିଏ ମୁଁ
ପଥ ନ ପଡ଼ଇ ଜଣା
ଜଗତ ଈଶ୍ୱର କରୁଣା ସାଗର
ମାନବେ କରନ୍ତି ଗଣା।
ବହୁ ପ୍ରତୀକ୍ଷାର ହେଲା ଅବସାନ
ଗଲି ନବରଙ୍ଗପୁର
ହାଟଭରଣ୍ଡିର କଲାରପାରାରେ
ବିଦ୍ୟାଳୟ ଥିଲା ମୋର।
ଅଜଣା ରାଇଜ ଦେଲି ନୂଆ ପାଦ
ଚିହ୍ନାତ ନଥିଲେ କେହି
ଆଉ ଜଣେ ନବ ଶିକ୍ଷକ ସହିତ
ବନ୍ଧୁଘରେ ଗଲି ରହି।
ଅଚିହ୍ନା ଲୋକର କିପରି ହୃଦୟ
ଭାବି ଲାଗୁଥିଲା ଡର
ତାଙ୍କ ହାବଭାବ ମିଠା ବ୍ୟବହାର
ଶଙ୍କା ମୋର କଲା ଦୂର।
ବଡ଼ ଯତନରେ ସେନେହ ଆଦରେ
ପାରିଦେଇ ଗଲେ ଶେଯ
ଭୁଞ୍ଜି ନାନା ଦ୍ରବ୍ୟ କରିଲି ଶୟନ
ସାରି ଦିବସର କାର୍ଯ୍ୟ।
ଘର କଥା ଭାବି ଶୋଇ ନପାରିଲି
ନୟନ ମୋ ନିଦ୍ରା ହୀନ
ନିଜ ବାସଠାରୁ ଦୂରେ ଦିଶିଥାଏ
ପରିଜନଙ୍କ ବଦନ।