ଅଜଣା ସ୍ପର୍ଶ
ଅଜଣା ସ୍ପର୍ଶ
ଛାଇ ଛାଇ ନିଦରେ ମୁଁ ଯେତେବେଳେ ଶୋଇଯାଏ ,
ତୁମେ ମୋ ମନର ଦରଜା ଖୋଲି
ପାଦ ଚିପି ଚିପି ଚାଲିଆସ ମୋ ଅଜାଣତରେ
କେଉଁ ଏକ ଅଜଣା ସ୍ପର୍ଶରେ ମୁଁ ,
ଶିହରିତ ହୁଏ ,ମୋ ନିଶ୍ଚଳ ଧମନୀ
ତୁମର ସ୍ପର୍ଶରେ ଚଳଚଞ୍ଚଳ ହୁଏ।
ଅୟୁତ ଅୟୁତ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟେ,
ତୁମର ସ୍ପର୍ଶରେ ମୁଁ ଚଳଚଞ୍ଚଳ ହୁଏ
ଆହୁରି ନିକଟତର ହୁଏ ।
ଝାପସା ଦେଖା ଯାଉଥିବା ସଂସାର
ଉତ୍ଜ୍ୱଳ ଦେଖାଯାଏ
ଆପଣାର ଲାଗୁଥିବା ବ୍ୟକ୍ତିଜଣକ ପରହୁଏ ।
ପର ଲାଗୁଥିବା ବ୍ୟକ୍ତିଜଣକ ନିଜର ହୁଏ।
ସତରେ ଏ କେଉଁ ଅଜଣା ଆକର୍ଷଣରେ
ଅଜଣା ସ୍ପର୍ଶରେ ମୁଁ ବାନ୍ଧିହୁଏ,
ମୁକୁଳି ପାରେନା , କାହାର କୋମଳ ସ୍ପର୍ଶରେ
ବାରମ୍ବାର ଛନ୍ଦି ହୁଏ।
ଶିରା ପ୍ରଶିରା ଶିଥିଳ ହୋଇଯାଏ ,
ତୁମେ ପୁଣି ଥରେ ଚାଲିଆସ ,
ମୃତ୍ୟୁ କୋଳରୁ ଉଠେଇ ନିଅ
ତୁମ କୋମଳ ସ୍ପର୍ଶରେ ମୁଁ
ପୁଣି ସଞ୍ଜିବିତ ହୁଏ ,
ମନରେ ସାତରଙ୍ଗୀ ଇନ୍ଦ୍ରଧନୁ ଟାଣିିିିହୁଏ।
ସମ୍ଭାବନା ହୀନ ଜୀବନ ମିଠା ମିଠା ସ୍ଵପ୍ନ ଦେଖେ ,
କାହାର ଅଜଣା କୋମଳ ସ୍ପର୍ଶରେ।