ଅଜଣା ରାସ୍ତାର ଫୁଲ
ଅଜଣା ରାସ୍ତାର ଫୁଲ
କଅଁଳ କଢିର କୁଆଁରୀ ସପନ
ପ୍ରକାଶର ସମ୍ଭାବନା
ପୂର୍ଣ୍ଣତା ପଥରେ ସଦା ଧାବମାନ
ମନେ ଅସୁମାରୀ ସ୍ୱପ୍ନ ।
ରାସ୍ତା କଡର ବୃକ୍ଷ ଡାଳ ପରେ
ଖେଳେ ଖିଲି ଖିଲି ହୋଇ
ଧୀରେ ଧୀରେ ହୋଇ ଖୋଲଇ ପାଖୁଡ଼ା
ସୌନ୍ଦର୍ଯ୍ୟ ମାପି ନୁହଁଇ ।
କଅଁଳ ବୟସେ ଭ୍ରମର ଛୁଏଁ ନା
କରେନି ପ୍ରୀତି ଗୁଞ୍ଜନ
ପାଖୁଡା ମେଲିଲେ ଚତୁପାର୍ଶ୍ୱ ବୁଲେ
ବୋଳି ପ୍ରୀତିର ଅଞ୍ଜନ ।
ମଧୁ ଶୋଷଣର ହୁଏ ସେ ଶୀକାର
ଗୁଣୁ ଗୁଣୁ ଗୀତ ତାନେ
ପ୍ରଷ୍ଫୁଟିତ ଫୁଲ ବାସ ବୁଣିଦେଲେ
ଭ୍ରମର ଗାଅଇ କାନେ ।
କଅଁଳ କାକର ଫୁଲଟି ଉପରେ
ମୋତିର ଭ୍ରମ କରାଏ
ରଙ୍ଗ ରୋଷଣୀର ବିବିଧ ବର୍ଣ୍ଣାଳୀ
ଇନ୍ଦ୍ର ଧନୁ ପ୍ରାୟ ହୁଏ ।
ପୂର୍ଣ୍ଣ ବିକାଶର ବିରଳ ସୌନ୍ଦର୍ଯ୍ୟ
ପ୍ରାତଃ ପ୍ରକାଶ ପୁଲକ
ଫୁଲଟି ନାଚଇ ପବନ ଦୋଳିରେ
ମନେ ଭରିଦିଏ ମହକ ।
କେଉଁ ଫୁଲ ଭାଗ୍ୟ ଦେବାଳୟ ପାଇଁ
କାହା ଭାଗ୍ୟ ମଶାଣି ଭୂଇଁ
କିଏ ଯାଏ ପୁଣି ମଧୁଶାଳା ପାଇଁ
କିଏ ଯାଏ ଉପହାର ହୋଇ ।
ଆସିବା ଯିବାର ମୁହୂର୍ତ୍ତ ବିଚାର
ନଥାଏ ଫୁଲଟି ହାତେ
ତଥାପି ସେ ତାର ମହକ ବିତରି
ରହେ ଜଗତର ହିତେ ।