ଐତିହ୍ୟର ଯାତ୍ରା ବାଲିଯାତ୍ରା
ଐତିହ୍ୟର ଯାତ୍ରା ବାଲିଯାତ୍ରା
ଐତିହ୍ୟର ଯାତ୍ରା ବାଲିଯାତ୍ରା
=============
ହଜାର ବରଷ ପୁରୁଣା ସହର l
କଟକ ନଗର ଧବଳ ଟଗର ll
ଉତ୍କଳର ପୁରାତନ ରାଜଧାନୀ l
ବାରବାଟି ଯାର ଐତିହ୍ୟ ବଖାଣି ll
ଚାଲିଅଛି ତହିଁ ବଡ଼ ମହୋତ୍ସବ l
ବାଲିଯାତ୍ରା ନାମ ସର୍ବେ ଶୁଣିଥିବ ll
ମହାନଦୀ କୂଳେ ଘାଟ ଗଡ଼ଗଡ଼ି l
ଚଇତନ୍ୟ ଯହିଁ ଯାଇଥିଲେ ଗଡ଼ି ll
ସଜହୋଇଅଛି ସୁଦୃଶ୍ୟ ତୋରଣ l
ଫୁଟୁଅଛି ବାଣ ଫୁଟୁଛି କମାଣ ll
ଧାଡ଼ି ଧାଡ଼ି ହୋଇ ବସିଛି ବିପଣି l
ସତେକି ସାଧବେ ବିଦେଶରୁ ଆଣି ll
ଠାଏ ଠାଏ ବକ୍ତା ଦିଅନ୍ତି ଭାଷଣ l
ଉଠରେ ଉଠରେ ଉତ୍କଳ ସନ୍ତାନ ll
ଥିଲୁ ଆମେ ଉଡ୍ର ଉତ୍କଳ କଳିଙ୍ଗ l
ରାଜ କରୁଥିଲେ ଦିନେ ଚୋଡ଼ଗଙ୍ଗ ll
ଯଯାତିକେଶରୀ ଆମ ମହାରାଜା l
ଯାଜପୁରେ ତାଙ୍କ ବାଜୁଥିଲା ବାଜା ll
ଏ ଯାତ୍ରା କହଇ ଐତିହ୍ୟ ଆମରି l
ଆମେ ଥିଲୁ ଦରିଆ ପାରି ବେପାରି ll
ସପ୍ତ ସିନ୍ଧୁ ଲଂଘି ଆମରି ସାଧବେ l
ତରି ଭରି କରି ନାନାଦି ଦରବେ ll
ସିଂହଳ ସୁମାତ୍ରା ଯାଉଥିଲେ ବାଲି l
ଅତଳ ସିନ୍ଧୁରେ ତରି ଦେଇ ମେଲି ll
ଉତ୍କଳ ଲକ୍ଷ୍ମୀଙ୍କୁ କରି ଥିଲେ ପୂର୍ଣ୍ଣ l
ବୋହିଆଣି କେତେ ଧନରତ୍ନ ସ୍ଵର୍ଣ୍ଣ ll
ଉତ୍କଳ ଘରଣୀ ସିନ୍ଧୁକୂଳେ ଯାଇ l
ବୋଇତ ବନ୍ଦାଣ କରୁଥିଲେ ଭାଇ ll
ସାକ୍ଷୀ ଛନ୍ତି ରାମଚଣ୍ଡୀ ମା ମଙ୍ଗଳା l
ଧାମରାଇ ପୁଣି ପାଟଣ ମଙ୍ଗଳା ll
ବାଲି ହରଚଣ୍ଡୀ ବ୍ରହ୍ମଗିରି ଠାରେ l
କଂସାଳନାକାଳି କଂସାଳଡିହରେ ll
କଥା ଶୁଣି ଥିବ ତଅପୋଈ ବାଳି l
ମଙ୍ଗକଣେ ବସି କାଟିଲା ବଉଳି ll
ଐତିହାସିକ ଏ କଳିଙ୍ଗର କୀର୍ତ୍ତି l
ବଖାଣି ବସିଲେ ପାହିଯିବ ରାତି ll
ସ୍ମୃତିରେ ହୁଅଇ ଆଜି ବାଲିଯାତ୍ରା l
ଆଉନାହିଁ ଯାତ୍ରା ବାଲି ଓ ସୁମାତ୍ରା ll
ଆସ ଆସ ଭାଇ ଅତୀତ ସୁମରି l
ଜାତିକୁ ଗଢ଼ିବା ଅତି ଶକ୍ତ କରି ll
ସାହସିକ ଜାତି ଅଟୁରେ କଳିଙ୍ଗା l
କଳିଙ୍ଗର ପ୍ରାନ୍ତ ଗୋଦାବରୀ ଗଙ୍ଗା ll
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
