ଅହଲ୍ୟାର କ୍ଷୋଭ
ଅହଲ୍ୟାର କ୍ଷୋଭ
ମୁଁ ଅହଲ୍ୟା, ମୁଁ ନାରୀଟିଏ ମାତ୍ର
ଏଇ ତ ମୋର ସ୍ପର୍ଦ୍ଧିତ ପରିଚୟ
ମୁଁ ହୁଏ ପାଷାଣୀ କି ମାନବୀ
ଅବା ଦେବୀ କି ଦାନବୀ
ଅସତୀ ଅଥବା ସତୀ
ନିଷ୍ପ୍ରାଣ ହୁଏକି ପ୍ରାଣବନ୍ତ
ଏଥିରେ ବା କାହାର କି
ପଡଇ ଫରକ ବାସ୍ତବରେ??
ପୁରୁଷସମାଜକୁ କି ଅବା ବିଶ୍ବାସ?
ପୁରୁଷ ପାଇଁ ଯାହା ଗୌରବ
ନାରୀ ଲାଗି ତ ବର୍ଜିତ ପାପାଚାର
କେତେ ଆଉ ମୁଁ ଦେଉଥିବି
ପରୀକ୍ଷା ଆପଣା ନିରପରାଧତାର?
ମୁହିଁ ତ' ଅବଳା ନାରୀଟିଏ ମାତ୍ର
ଗଳା ଫଟାଇ ଯେତେ ଗର୍ଜିଲେ
ବି କେହି ଶୁଣିନି ମୋହରି ଆର୍ତ୍ତନାଦ
ସନ୍ତପ୍ତ ଆତ୍ମାର ବିଳାପ ଚିତ୍କାର
ବରିନେଇଛି ଭାଗ୍ୟକୁ ଅପବାଦର ଜ୍ଵାଳାରେ
ଉପେକ୍ଷିତ ହେବାର ଅବସାଦରେ
ବୁଝାଇ ଦେଇ ମନକୁ ଧରିନେଇଛି
ଭୋଗବାଦରୁ ଜନ୍ମ ଜନ୍ମାନ୍ତର
ନାରୀଟିର ନାହିଁ ତ ନିସ୍ତାର!!
ନୁହେଁ ମୁଁ ମନୁଷ୍ଯ ପଦବାଚ୍ୟ
ଅବା କେଉଁ ଜାତି ଶ୍ରେଣୀଭୁକ୍ତ
ମୁହିଁ ତ ଉପଭୋଗର ବସ୍ତୁଟିଏ
ଦୁନିଆର ଏଇ ବଜାରରେ
ସଭିଏଁ ଚାହାଁନ୍ତି ମୋ ସୌନ୍ଦର୍ଯ୍ୟଭରା
ଯୌବନଦୀପ୍ତ ଅଙ୍ଗ ସୌଷ୍ଠବରେ
କାମୁକ ଲୋଲୁପ ତୃଷାର୍ତ୍ତ ନେତ୍ରରେ
ଜଳୁଥାନ୍ତି ସର୍ବେ ନିଷିଦ୍ଧ ଆଦିମ
କ୍ଷୁଧାର ଡହ ଡହ ଅନଳରେ!!
କାଳେ କାଳେ ସଚରାଚର ବ୍ରହ୍ମାଣ୍ଡର
ପ୍ରତିଟି ପୁରୁଷ ଏକଇ କାମାତୁର ଜୀବ
ହେଉ ସେ ମର୍ତ୍ତ୍ୟର ଛାର ମାନବ
ଅଥବା ଶକ୍ତିଶାଳୀ ଦାନବ
ଅବା ଦେବରାଜ ଶଚୀପତି ଇନ୍ଦ୍ର
ସଭିଏଁ ଚେତନ ଅବା ଅବଚେତନରେ
ଇଛନ୍ତି ମୋତେ ଆପଣା ଅଙ୍କଶାୟିନୀ
ଶଯ୍ୟାସଙ୍ଗିନୀ ରୂପରେ ନିଭୃତରେ
ବଳିଷ୍ଠ ବାହୁର ନିବିଡ଼ ବେଷ୍ଠନୀରେ
ଅବା ଆଉ କିଏ ଆଙ୍କେ ମୋର
ନଗ୍ନ ପଟ୍ଟଚିତ୍ର ମନ କାଗଜରେ!!
ଶାପଗ୍ରସ୍ତ ପାଷାଣୀ ହୋଇ ଚିରକାଳ
ଜୀଇଁବାରେ ମୋ ସୁଖ ସଞ୍ଚୟ
ସହେ ପଛେ ନିଦାଘର ତାପ
ଜଳଦର ବାରିପାତ ଶୀତର ପ୍ରକୋପ
ଲୋଡ଼ା ନାହିଁ ମୋର ମଧୁମାସ ବସନ୍ତ
ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଶ୍ରୀଚରଣ
ସ୍ପର୍ଶରେ ଜୀବନ୍ୟାସ ଲଭିବାକୁ
ମୋହର ନାହିଁ ତିଳେ ସ୍ପୃହା କିମ୍ବା ମନୋରଥ
ଅପଳାପ ନୁହେଁ ଇଏ ମୋର
କହୁଅଛି ମୁହିଁ ଶତ ପ୍ରତିଶତ ସତ୍ୟ!!