ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା
ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା


ପୁଣ୍ୟ ମାଘ ମାସ ପୂର୍ଣ୍ଣିମା ତିଥିରେ
ଗଣପର୍ବ ଉତ୍କଳରେ
ଅଗ୍ନ୍ୟୁତ୍ସବ ନାମେ ନାମିତ ପୂର୍ଣ୍ଣିମା
ପରମ୍ପରା ଆଧାରରେ
ବିଧିବଦ୍ଧ ଭାବେ ଅଗ୍ନି-ଦେବଙ୍କର
ପୂଜା ଉତ୍ସବ ପାଳନ
ଅଗିରା ପୂର୍ଣ୍ଣିମା ଲୋକ କଥା ଧାରେ
ପ୍ରାୟତଃ ହୁଏ କଥନ
ଅଗ୍ନି ଦେବଙ୍କର କୃପାଦୃଷ୍ଟି ଲାଭ
ଆଶା ରଖି ହୃଦୟରେ
ପୂଜା ଆରାଧନା ଅଗ୍ନି ଦେବଙ୍କର
ହୁଏ ନିଷ୍ଠା ସହକାରେ
ଖୋଲା ପଡ଼ିଆରେ ଅଗ୍ନି ଆବାହନ
ବିଧି ବିଧାନ ସହିତ
ଜନ ସମାଗମ ମଧ୍ୟେ ଆୟୋଜନ
ପର୍ବ ପାଳନ ତ୍ୱରିତ
ବାଉଁଶ ଗୋଟିଏ ମାତ୍ର ପୋତା ବିଧି
ଅଗ୍ରେ ନଡ଼ା ଆଚ୍ଛାଦିତ
କମାର ଶାଳର ଅଗ୍ନି କଣିକାରେ
ନଡ଼ା ହୁଏ ପ୍ରଜ୍ଜ୍ଵଳିତ
ପୁଜା ପାଠ ଅଗ୍ନି ସଂଯୋଗ ପୂର୍ବରୁ
ସମ୍ପାଦନ ଭକ୍ତି ଭରେ
ଅଗ୍ନିରେ ବିଭିନ୍ନ ଫଳ ମୂଳ ଭୋଗ
କ୍ଷେପଣ କ୍ରମଶଃ ଧୀରେ
ଅଗ୍ନି ଚ
ାରିପଟେ ପ୍ରଦକ୍ଷିଣ ସହ
ହୁଏ ଭଜନ କୀର୍ତ୍ତନ
ଅଗ୍ନି ଦେବଙ୍କର ଜୟ ଧ୍ୱନୀ ଧାରେ
କମ୍ପେ ଗଗନ ପବନ
ପୋଡ଼ି ଯାଇଥବା ଫଳ ହିଁ ପ୍ରସାଦ
ରୂପେ ଗ୍ରହଣ ବିଧାନ
ଚର୍ମ ରୋଗ ମୁକ୍ତି ହେବାର ବିଶ୍ୱାସ
ସମାଜରେ ପ୍ରାୟ ମାନ୍ୟ
ନଡ଼ା ଛପରର କାର୍ଯ୍ୟ ବି ଆରମ୍ଭ
ଅଗିରା ପୂଜନ ପରେ
ଅଗ୍ନି ଦାହ ଠାରୁ ସୁରକ୍ଷା ବିଶ୍ୱାସ
ମାଘ ପୂର୍ଣ୍ଣମୀ ତିଥିରେ
ଭିନ୍ନ ଏକ କଥା ବିଶ୍ୱାସ ଯୋଗ୍ୟ ବି
ଅଗ୍ନି ଯେଉଁ ଦିଗେ ଢଳେ
ସେ ଦିଗରେ ଭଲ ଧାନ ଫସଲର
ସୁଚନା ବିଶ୍ଵାସ ବଳେ
ପରମ୍ପରା ସହ ପର୍ବ ବି ପାଳନ
ଚାଲୁ ରହି ଅଛି ପ୍ରାୟ
ସଭ୍ୟତାର ଦ୍ୱାହି ଦେଇ ଏ ମଣିଷ
ଅନ୍ଧ ବିଶ୍ବାସ ପ୍ରତ୍ୟୟ
ବିଶ୍ୱାସ ଅବିଶ୍ବାସ ଅନ୍ଧ ବିଶ୍ବାସ
ରହି ଅଛି ସମାଜରେ
ଆମ ସଂସ୍କୃତି ଓ ପରମ୍ପରା ସଦା
ରହି ଥାଉ ହୃଦୟରେ