, ଅଦ୍ବିତୀୟା
, ଅଦ୍ବିତୀୟା


ସ୍ବର୍ଗର କେଉଁ ଦେବକନ୍ୟା ଅବା ଦେବୀ,
ନାରୀ ରୂପେ ଆସିଛନ୍ତି ଧରା ଧାମକୁ।
କରିବାକୁ ନୂତନ ସର୍ଜନା,
ସବୁଠୁ ସୁନ୍ଦର ମଧୁର ଯା'ର ନାଁ ,
ଅଦ୍ବିତୀୟା କଲ୍ୟାଣ ମୟୀ ସେ ମାଆ।
ଅନ୍ଧାର ର ଗର୍ଭ ଚିରି ଦେଖାଇଛି ଆଲୋକ ଧରାର।
ଯା ବୁକୁର ଅମୃତ, ରକ୍ତ ହୋଇ ପ୍ରବାହିତ ଏ ଶରୀର ।
ସହିଛି ବେଦନା କଷ୍ଟ ଭିଜିଛି ଆଖି ଲୁହରେ।
ନିଜ ଓଠେ ହସ ଯାଇଛି ପାଶୋରି,
ଖୋଜିଛି ହସ ମୋ ଓଠରେ।
ମାଆ ହାତଧରି ଶିଖିଛି ମୁଁ ଚାଲି ।
ତା କୋଳେ ଶୋଇ ଖେଳିଛି ମୁଁ ଦୋଳି।
ତା ପିଠିରେ ଓହଳି ଦେଖିଛି ମୁଁ ଜହ୍ନ,
ତା ପଣତ ଛାଇତଳେ ଦେଖିଛି ସପନ।
ତା ଓଠରୁ ଭାଷା ନେଇ କହିଛି ମୁଁ କଥା,
ଅଭୟ ହାତର ଛାଇରେ ଟେକିଛି ମୁଁ ମଥା।
ସେ ଅକଳ୍ପନୀୟା ମାଆ।
ଦେହ ଦୁଃଖ କାଳେ ଦୀପ ଟିଏ ଜାଳି,
ଦେହ ସୁଖ ପାଇଁ ଦେବତାଙ୍କୁ କରିଅଛି ଅଳି।
ମମତା
ମୟୀ ର ମିଠାମିଠା ଗାଳି,
ବଡ଼ ଦାଣ୍ଡ ଧୂଳି ଭାବି ହୋଇଛି ମୁଁ ବୋଳି।
ମାଆର ପଣତ, ବଡ଼ ଦେଉଳର ନେତ,
ମାଆ ହାତ ଡାଲି ଭାତ ଆମ୍ବିଳ ବଘରା, ମୋ ପାଇଁ ଆନନ୍ଦ ବଜାର ଅଭଡା।
ମା କୋଳ ମହୋଦଧି ଠାରୁ ବିଶାଳ,
ବାଇଶି ପାହାଚ ଠାରୁ ପୁଣ୍ୟ ଯା ପାଦ ଛୁଆଁ ,ସେ ଅତୁଳନୀୟା ମା।
ବାପାଙ୍କୁ କହନ୍ତି ତୁମେ ଆପଣ, ମା କୁ "ତୁ",
ତୁ ଭିତରେ ଲୁଚିଅଛି ମମତାର ମିଠା ମହୁ।
ଅନ୍ୟ କେ କହିଲେ "ତୁ"ବୋଲି "ତୁ"ଟା ଲାଗେନା ଭଲ,
ତୁ ଯଦି ଥରେ ତୁ ଡାକି ଦେଉ ଅମୂଲ ତାର ମୂଲ।
ନିଜ ପେଟ ଭୋକ ଭୁଲି ମୋ ପାଟିରେ ଦେଇଅଛୁ ମିଠା।
ସୁଖ ଦେବାପାଇଁ ଶୁଖିଶୁଖି ହୋଇଗଲୁ କଣ୍ଟା।
ଶବ୍ଦ ଛୋଟ ପଡି ଯାଏ ବଖାଣିବାକୁ ମା ର ମହନୀୟ ଗୁଣ,
ଗୋଟିଏ ଜୀବନ କମ୍ ପଡ଼ି ଯିବ
ଶୁଝିବାକୁ ତୋ ମାତୃତ୍ୱ ଋଣ।
ଦେବତା ଯା ପାଦ ତଳେ ବସି ମାଗନ୍ତି କରୁଣା,
ମାଟି ଜଗତର ଜୀବନ୍ତ ଦେବୀ ମା ତୋ ପାଦର କରୁଛି ବନ୍ଦନା।