ଅଚିହ୍ନା ପରଶେ
ଅଚିହ୍ନା ପରଶେ
ପ୍ରଥମ ଦେଖାରେ ମନ କିଣିନେଲା ଅଚିହ୍ନା ମଣିଷଟିଏ
ହୃଦୟ ଭିତରେ ଘର ତୋଳି ଦେଲା ମନ ନେଇଗଲା ସିଏ ।।
ଏ ମନ ପାଗଳ ବୁଝିଲାନି କିଛି ଅକୁହା ସେ ଅନୁଭବ
ପ୍ରେମରେ ସେ ରସେ ପ୍ରେମରେ ବିଳସେ ସ୍ୱପ୍ନ ବିଳାସୀ ଏ ଭବ ।।
ଅଚିହ୍ନା ମଣିଷ ଥିଲା ଏକ ନଈ ତା ସ୍ରୋତେ ମୁଁ ଭାସି ଗଲି
ମୋତେ ନେଲା ସିଏ ନୂଆ ଦୁନିଆକୁ ସ୍ୱପ୍ନ ରାଜ୍ୟେ ହଜିଗଲି ।।
ଆଳାପ କରେ ସେ ହୃଦୟକୁ ବୁଝି ସମ୍ପର୍କର ସେତୁ ଗଢେ
ମନ ଉପବନେ ଭ୍ରମର ପରି ସେ ମଧୁ ଗୁଞ୍ଜରଣ ଭରେ ।।
ମନେ ଉଠେ ଫୁଟି କେତେ ଯେ କଦମ୍ବ ପାଇ ପ୍ରେମ ଅନୁଭୂତି
ଅଚିହ୍ନା ପରଶେ ହୃଦୟ ସ୍ପନ୍ଦନେ ଥାଏ ତୁମ ଉପସ୍ଥିତି ।।
ଅଚିହ୍ନା ହେଲେ ବି ଚିହ୍ନା ଚିହ୍ନା ଲାଗେ ଲକ୍ଷେରେ ଗୋଟିଏ ସିଏ
ସ୍ପନ୍ଦନର ବେଗ ବଢିଯାଏ ଯେବେ ପଲକୁ ଦୂରେଇ ଯାଏ ।।
କେବେ କେବେ ସେ ଯେ ହତାଶାର ବହ୍ନି ଆପେ ଆପେ ଜଳି ଲିଭେ
ଅଚିହ୍ନା ସମ୍ପର୍କେ ଦିବ୍ୟ ତାରା ଆଭା ଅନୁଭବ ଧୃତ ଲଭେ ।।