ଅବ୍ୟକ୍ତ
ଅବ୍ୟକ୍ତ
ମନଅଗଣାର ପାରିଜାତ ତୁମେ
ଝୁରେ ନିତି ତୁମ ପାଇଁ,
ତୁମେ ଆକାଶର ଚାନ୍ଦ ହେବ ଯଦି
ମୁଁ ତୁମର ନୀଳକଇଁ !!
ମନେ ଅଭିମାନ ହୃଦରେ ଦହନ
ଆଖିରେ ସପନ ନେଇ
କବିତା ଛଳରେ ବାନ୍ଧିଛ ମନକୁ
ପ୍ରୀତିର ପରଶ ଦେଇ !!
ଭାବନା ଜଗତେ ନିତି ଆସ ତୁମେ
ଉଜାଗରେ ବିତେ ରାତି,
କେଉଁ ସମ୍ପର୍କରେ ନିଜର ହୋଇବ
ମନେ ଦକା ହୃଦେ ଭିତି !!
ଅଦେଖା ସମ୍ପର୍କ ଅଜଣା ମହକ
ଅକୁହା ବେଦନା ପରା,
ଅଭିମାନିନୀ ମୁଁ ପଥ ଚାହିଁ ଥାଏ
ନୟନେ ଲୋତକ ଭରା !!
ହୃଦୟରେ ରହି ସାଥିଟିଏ ହୋଇ
ଗୋପନେ ଦେଉଛ ଜ୍ୱାଳା,
ପାନ୍ଥ ଟିଏ ଯଦି ଅଜଣା ପଥରେ
ଖୋଜୁଥାଏ ପାନ୍ଥଶାଳା !!
ଅବଜ୍ଞାର ଛଳେ ଉପେକ୍ଷା ଦେଇଛ
ହୃଦୟ କୋହରେ ଭରା,
ଦିଗହରା ପଥେ ନିଃସଙ୍ଗ ପଥିକ
ଅନୁତାପେ ଜଳେ ପରା !!
ଅଭିମାନ ଆଉ ସ୍ୱାଭିମାନ ନେଇ
ବଞ୍ଚିବି ଜୀବନ ସାରା,
ଶ୍ରାବଣର ବାରି ଧୋଇ କି ପାରିବ
ମୋ ନୟନ ଅଶ୍ରୁଧାରା !!