ଅବିନାଶୀ ଆତ୍ମା
ଅବିନାଶୀ ଆତ୍ମା
ସୃଷ୍ଟିକର୍ତ୍ତା ସ୍ଵୟଂ ପରଂବ୍ରହ୍ମ ପ୍ରଭୁ
ଅନନ୍ତ ତାଙ୍କ ମହିମା
ସଚରାଚରକୁ ବ୍ରହ୍ମମୟ କରି
ଭରିଛନ୍ତି ସେ ସୁଷମା।
ସଜୀବ ଶରୀରେ ଜୀବନ ଶକ୍ତିରେ
ଅବିନାଶୀ ଅଟେ ଆତ୍ମା
ନିଜ ସ୍ଵରୂପର ପ୍ରତୀକ ରୂପରେ
ରହିଥାନ୍ତି ପରମାତ୍ମା।
ସେ ମହାଚେତନା ଜୀବର ଜୀବନ
ସୂକ୍ଷ୍ମରେ ଥାଆନ୍ତି ରହି
ଅଦୃଶ୍ୟ ଭାବରେ ହୃଦୟ ସ୍ପନ୍ଦନେ
ପ୍ରକୃତି ନିଅନ୍ତି ମୋହି।
ସିନ୍ଧୁରୁ ବିନ୍ଦୁରେ ହୋଇ ରୂପାନ୍ତର
ହୋଇଥାନ୍ତି ସର୍ବବ୍ୟାପୀ
ବିନ୍ଦୁକୁ ଜାଣିଲେ ସିନ୍ଧୁକୁ ବୁଝିବ
ସ୍ୱଭାବେ ଅନନ୍ତ ରୂପୀ।
ଅଟନ୍ତି ସେ ବ୍ରହ୍ମ ଅବିନାଶୀ ଆତ୍ମା
ଥାନ୍ତି ଅବ୍ୟୟ ଅକ୍ଷୟ
ଅନାଦି ଅନନ୍ତ ଅଭେଦ୍ୟ ଅଚ୍ୟୁତ
ଚିର ଶାଶ୍ୱତ ଚିନ୍ମୟ।
ଅଜର ଅମର ନିଃଶବ୍ଦ ନିର୍ଲିପ୍ତ
ନିର୍ବିକଳ୍ପ ଚିରନ୍ତନ
ସେ ପରମାନନ୍ଦ ବନ୍ଧନରୁ ମୁକ୍ତ
ସତ୍ୟ ଶାନ୍ତି ସନାତନ।
ବୁଡ଼େ ନାହିଁ ଜଳେ ପଡ଼େ ନାହିଁ ସ୍ଥଳେ
ଅଗ୍ନି ବି ପାରେନା ଜାଳି
ପବନେ ଉଡ଼େନା ଅସ୍ତ୍ରରେ ଛିଡ଼େନା
ଦୀପ୍ତିମାନ ଅର୍ଘ୍ୟଥାଳୀ।
ଶୂନ୍ୟରୁ ଜଗତ ଶୂନ୍ୟେ ହୁଏ ଲୀନ
ପ୍ରାରବ୍ଧର କର୍ମଫଳ
ଆତ୍ମ ସଂସ୍କାରରେ ହୃଦୟ ପବିତ୍ର
ମନ ରହେ ନିରିମଳ।
ଅବିନାଶୀ ଆତ୍ମା ବଦଳାଏ ଘଟ
ଜନ୍ମ ହୋଇ ବାରବାର
ଭୋଗେ ନାହିଁ କ୍ଳେଶ ଦେଉଥାଏ କଷ୍ଟ
ହେବାକୁ ଯେ ନିର୍ବିକାର।
କାମନା ବଶତଃ ବିକାରର ଜାତ
ମୋହେ ପ୍ରାଣୀ ଛଟପଟ
ଜୀବନ ଯନ୍ତ୍ରଣା ଭୋଗି ହୁଏ ବଣା
ଖୋଜି ପାଏ ନାହିଁ ବାଟ।
ଆତ୍ମାକୁ ବିଚାରି ପରମାତ୍ମା ସ୍ତୁତି
କଲେ ମିଳେ ମହାଶକ୍ତି
ନିଜକୁ ହିଁ ନିଜେ ସୁରକ୍ଷା ନ କଲେ
ଜୀବ ପାଏ ନାହିଁ ମୁକ୍ତି।