ଅଭିମାନ ବୋଲି କିଛି
ଅଭିମାନ ବୋଲି କିଛି
ଅଭିମାନ ଏକ ମଧୁର ପ୍ରତୀକ୍ଷା
ବିରହ ରାଗିଣୀ ସୁର
ଅଙ୍କିଥାଏ ହୃଦେ ମିଳନର ଛବି
ଦେବାପାଇଁ ଅଧିକାର |
ଗୋଧୂଳି ପରି ସେ କ୍ଷଣସ୍ଥାୟୀ ହୋଇ
ସ୍ଵାଗତେ ମଧୁର ବେଳା
ଲିଭିଯାଏ ଧିରେ ଫିକା ରାଗ ରଙ୍ଗ
ଯାହା ହୋଇଥିଲା ବୋଳା |
ଅଭିମାନ ଏକ ନାରୀ ସୁଲଭତା
ଦୃଢ଼ କରିଥାଏ ପ୍ରୀତି
ସବୁ ରାଗ ରୁଷା ମନୁ ଦୂରହୁଏ
କଅଁଳେଇ ଦେଲେ ସାଥି |
ଗୋପରେ ରାଧିକା କୃଷ୍ଣଙ୍କ ଉପରେ
କରନ୍ତି ଯେ ଅଭିମାନ
କୃଷ୍ଣଙ୍କ ମୋହନ ବଂଶୀ ସ୍ଵନ ଶୁଣି
ମନ ଝୁରେ କୁଞ୍ଜବନ |
ନିଜ ଲୋକ ଯଦି ଆଘାତ ଦିଅନ୍ତି
ହୃଦେ ଭରେ ଭାବାନ୍ତର
ନିଜ ପିତାମାତା ପ୍ରିୟ ସାଙ୍ଗ କେହି
ଅବା ଭଗ୍ନୀ ସହୋଦର |
<
p>
ଅଳପ କଥାରେ ଭୁଲ ବୁଝାମଣା
ଅଭିମାନ ରୂପ ନିଏ
ବୁଝିଗଲା ପରେ ଭ୍ରମ ଦୂରହୁଏ
ମନୁ ଦୁଃଖ ଚାଲିଯାଏ |
ହୃଦୟେ ପୂଜିତ ଠାକୁରଙ୍କ ପ୍ରତି
ଆସିଥାଏ ଅଭିମାନ
ଦୂରେଇ ଦିଏ ସେ ମନକୁ ବୁଝାଇ
ରହି ମାତ୍ର କିଛି କ୍ଷଣ |
ଠାକୁରଙ୍କ ପ୍ରତି ପ୍ରଗାଢ଼ ଭକତି
ନୁହେଁ ଏହା କ୍ରୋଧ ଜାତ
ହୃଦୟେ ସଞ୍ଚିତ ଅକୁହା ବେଦନା
ହୋଇଥାଏ ଅଭିବ୍ୟକ୍ତ |
ମିଳିଥାଏ ଶାନ୍ତି ବହିଗଲେ କିଛି
ଅବାରିତେ ଅଶ୍ରୁଧାର
ଆହୁରି ନିବିଡ଼ ହୁଅଇ ବନ୍ଧନ
ହୋଇ ଅତି ଆପଣାର |
ହୃଦୟର ଏକ ମଧୁର ଉଚ୍ଛ୍ଵାସ
ଭରିଥାଏ ସ୍ୱାଭିମାନ
ଖରା ପରେ ଛାଇ ଆସଇ ଯେପରି
ଅଭିମାନ ଚିରନ୍ତନ |