ଆତ୍ମାଫୁଲ
ଆତ୍ମାଫୁଲ
ସମୟ କ୍ରମରେ ଆସେ ଏ ଶରୀରେ
କୌମାର ଯୌବନ ଜରା
ଆତ୍ମାଫୁଲ ସବୁ ଛୁଇଁ ଚାଲିଯାଏ
ନୂଆ ଘଟେ ନିଏ ଆଶ୍ରା ॥
ସୁଖ ଦୁଃଖ ଆସେ ଯାଏ ଏ ଜୀବନେ
ଶୀତ, ଗ୍ରୀଷ୍ମ ଋତୁ ପରି
ସହି ଶିଖିଥିଲେ ଦହେନି ଶରୀର
ସବୁ ଲାଗେ ଏକାପରି ॥
ଶସ୍ତ୍ର ଦ୍ୱାରା ଛିନ୍ନ ହୁଏନାହିଁ ଆତ୍ମା
ଦହି ପାରେନା ଅନଳ
ବାୟୁ ଦ୍ୱାରା ଶୁଷ୍କ ହୁଏନାହିଁ ଏହା
ଭିଜାଇ ପାରେନା ଜଳ ॥
ଅଚ୍ଛେଦ୍ୟ ଅଦାହ୍ୟ ଅକ୍ଳେଦ୍ୟ ଅଶୋଷ୍ୟ
ସର୍ବତ୍ର ହିଁ ବିଦ୍ୟମାନ
ଅଚଳ ଓ ସ୍ଥିର ନିତ୍ୟ ଏହି ଆତ୍ମା
ଅଟଇ ଯେ ସନାତନ ॥
ଅବ୍ୟକ୍ତ ଅଚିନ୍ତ୍ୟ ବିକାର ରହିତ
ଅଟେ ଏହି ଆତ୍ମା ଜାଣ
ଜାଣି ଏହି କଥା କରନାହିଁ ଚିନ୍ତା
ନାହିଁ ଶୋକର କାରଣ ॥
ଯଦି ଭାବୁଅଛ ନିତି ଏହି ଆତ୍ମା
ଜନମୁଛି ମରୁଅଛି
ତାହେଲେ ବି ମନେ ଶୋକ କରିବାର
କଥା ଆଉ ନାହିଁ କିଛି ॥
ଜନମିଛି ଯିଏ ମରିବା ନିଶ୍ଚିତ
ମରିଛି ଯେ ଜନ୍ମ ହେବ
ଅନିର୍ବାର୍ଯ୍ୟ ଯାହା ମନେ ଭାବି ତାହା
କିମ୍ପାଇଁ ଦୁଃଖ କରିବ ॥
ବିଷୟ ଚିନ୍ତନ କରେ ଯେଉଁ ଜନ
ବିଷୟେ ଆସେ ଆସକ୍ତି
ବିଷୟଙ୍କ ପ୍ରତି ଆସିଲେ ଆସକ୍ତି
କାମନା ହୁଏ ଉତ୍ପତ୍ତି ॥
କାମନାରୁ କ୍ରୋଧ କ୍ରୋଧରୁ ସମ୍ମୋହ
ସମ୍ମୋହୁ ସ୍ମୃତି ବିଭ୍ରମ
ସ୍ମୃତି ହେଲେ ହ୍ରାସ ବୁଦ୍ଧି ହୁଏ ନାଶ
ତତ୍ପରେ ମରଣ ଧାମ
ଯେ ଅନ୍ତଃକରଣ କରି ସ୍ୱ ଅଧୀନ
ଇନ୍ଦ୍ରିୟଙ୍କୁ କରେ ବଶ
ବିଷୟରେ ବିଚରଣ କରି ମଧ୍ୟ
ଲଭଇ ଆତ୍ମସନ୍ତୋଷ ॥
ସ୍ୱ ଅନ୍ତଃକରଣ ହୁଅନ୍ତେ ପ୍ରସନ୍ନ
ଦୁଃଖ ତା ହୁଏ ବିନାଶ
ସର୍ବ ବୁଦ୍ଧି ଆସି ପରମାତ୍ମା ଠାରେ
ହୋଇଥାଏ ସନ୍ନିବେଶ ॥
ଯାହା ପ୍ରାଣୀକୁଳ ପାଇଁ ରାତ୍ରକାଳ
ସେକାଳେ ଜାଗ୍ରତ ମୁନି
ଯେଉଁ କାଳେ ପ୍ରାଣୀ ଜାଗ୍ରତ ରହନ୍ତି
ମୁନିଙ୍କ ପାଇଁ ଯାମିନୀ ॥
ସର୍ବଗୁଣ ପୁର୍ଣ୍ଣ ପ୍ରତିଷ୍ଠା ସମ୍ପନ
ଯେପରି ସାଗର ନୀର
ହୁଏନି ଅସ୍ଥିର ନାନା ନଦୀ ନୀର
ପ୍ରବେଶିଲେ ବାରମ୍ବାର ॥
ସେହିପରି କାମ ପୁରୁଷ-ନିଷ୍କାମ
ମନେ ନଆଣି ବିକାର
ତା ମଧ୍ୟେ ପ୍ରବେଶ କରେ ସେ ପୁରୁଷ
ମନ ହୁଏନି ଅସ୍ଥିର ॥
ଅନ୍ନରୁ ସଂଭୁତ ଏ ପ୍ରାଣୀଜଗତ
ବୃଷ୍ଟିରୁ ସଂଭୁତ ଅନ୍ନ
ଜଜ୍ଞକର୍ମୁ ଜାତ ହୁଏ ବୃଷ୍ଟିପାତ
ବେଦରୁ ଜଜ୍ଞ ଉତ୍ପନ ॥
ବେଦ ସୃଷ୍ଟିକର୍ତ୍ତା ସ୍ୱୟଂ ପରମାତ୍ମା
ଅବିନାଶୀ ସର୍ବଗତ
ଏଣୁ ଏହା ସିଦ୍ଧ ପରମାତ୍ମା ସଦା
ବେଦରେ ହିଁ ପ୍ରତିଷ୍ଠିତ ॥
ପ୍ରତି ଇନ୍ଦ୍ରିୟର ବିଷୟରେ ଲୁଚି
ରହିଅଛି ରାଗ ଦ୍ୱେଷ
ଏହି ଦୁଇଟିର ବଶବର୍ତ୍ତୀ ହେବା
ଉଚିତ ନୁହେଁ ମନୁଷ୍ୟ ॥
ଏହି ଦୁଇ ତାର କଲ୍ୟାଣ ମାର୍ଗରେ
ସୃଷ୍ଟି କରିଥାନ୍ତି ବିଘ୍ନ
ଏହି ଦୁଇ ତାର ଶତ୍ରୁମାନଙ୍କରେ
ଅଟନ୍ତି ଶତ୍ରୁ ମହାନ ॥
ଭଲ ଆଚରଣ ସହିତ ପାଳନ
ହେଉଥିବା ନିଜ ଧର୍ମ
ପରଧର୍ମ ଠାରୁ ଗୁଣରେ ରହିତ
ହେଲେ ବି ଶ୍ରେୟ ସ୍ୱଧର୍ମ ॥
ସ୍ୱଧର୍ମେ ମରଣ ବରଂ ଶ୍ରେୟ ଜାଣ
ଅଟେ କଲ୍ୟାଣକାରକ
ପରଧର୍ମ ଆଚରଣ କଲେ ଜାଣ
ଅତ୍ୟଧିକ ଭୟାନକ ॥
ମୋହବଶ ହୋଇ ନଷ୍ଟହେବା ପାଇଁ
ଯେପରି ପତଙ୍ଗଗଣ
ପ୍ରଜ୍ୱଳିତ ଅଗ୍ନି ମଧ୍ୟେ ପ୍ରବେଶନ୍ତି
ଅତି ବେଗେ ପ୍ରତିକ୍ଷଣ ॥
ସେହିପରି ଲୋକେ ପ୍ରତି ମୁହୂର୍ତ୍ତରେ
ଅତ୍ୟନ୍ତ ବେଗରେ ଧାଇଁ
ପଶୁଛନ୍ତି ତବ ମୁଖ ମାନଙ୍କରେ
ନିଜର ବିନାଶ ପାଇଁ ॥
ତୁମ୍ଭେ ଆଦିଦେବ ପୁରାଣ ପୁରୁଷ
ବିଶ୍ୱର ପରମାଶ୍ରୟ
ସାରା ବିଶ୍ୱେ ବ୍ୟାପ୍ତ ତୁମ୍ଭେ ପରଂ ଧାମ
ତୁମ୍ଭେ ଜ୍ଞାତା ତୁମ୍ଭେ ଜ୍ଞେୟ ॥
ତୁମ୍ଭେ ବାୟୁ , ଯମ , ବରୁଣ , ଶଶାଙ୍କ
ଅଗ୍ନି ,ବ୍ରହ୍ମା, ବ୍ରହ୍ମାପିତା
ସହସ୍ର ସହସ୍ର ବାର ନମସ୍କାର
ତୁମ୍ଭଙ୍କୁ ହେ ପରଂ ପିତା ॥
ଆହେ ବିଶ୍ୱେଶ୍ୱର ଦେଖେ ମୁଁ ତୁମ୍ଭର
ବହୁ ଭୁଜ ବହୁ ବକ୍ତ୍ର
ତୁମ୍ଭ ବିଶ୍ୱରୂପ ସର୍ବ ଦିଗେ ବ୍ୟାପ୍ତ
ଦେଖେ ମୁଁ ଅନେକ ନେତ୍ର ॥
ରୂପ ସେ ଅନନ୍ତ ଆଦି, ମଧ୍ୟ, ଅନ୍ତ
କଳିବା କାହାର ସାଧ୍ୟ
ତୁମ୍ଭେ ହିଁ ତ ଜାଣ ଆହେ ନାରାୟଣ
ତୁମ୍ଭ ରୂପାୟଣ ଭେଦ ॥