ଆତ୍ମା
ଆତ୍ମା
ହୃଦୟର
ସଫେଦ୍ କାଗଜରେ
ଯଦି କାହାର
ଅପରୂପ ଶୁଦ୍ଧ ଛବି
ଅଦୃଶ୍ୟରେ ଆଙ୍କି ହୋଇଯାଏ
ସେ ଆତ୍ମା,
ସେ ଅବିନଶ୍ବର, ଅଜର, ଅମର
ଜନ୍ମ ମୃତ୍ୟୁର ବନ୍ଧନ
ତାକୁ ବାନ୍ଧିପାରେନା ।
ସେ ଆସେ କେତେବେଳେ
ଯାଏ କେତେବେଳେ
କେହିବି ଜାଣେନା
ତଥାପି
ତା'ର ଅଦୃଶ୍ୟ ସ୍ୟାହୀରେ
ସେ ଲେଖୁଥାଏ
ଜୀବନର ହସ୍ତାକ୍ଷର,
ହୃଦୟରେ ତୋଳେ
ସମ୍ଭାବନାର ସ୍ବର
ଭରିଦିଏ ଉପାଦାନ
ମଣିଷ ପଣିଆର,
ଜୀବନ ଜିଇଁବାର ।
ଘୃଣା, ଲଜ୍ଜା, ମାନ, ଅଭିମାନ
ସ୍ୱାର୍ଥପରତା, ଅହଂକାର
ଆଦି ପ୍ରବୃତ୍ତିର
ସେ ନୁହେଁ ଦାସ
ମରଣଶୀଳ ଶରୀରରେ
ସେ ହିଁ କରିପାରେ ବାସ,
ଜିଇଁଥିବାଯାଏ
ତାକୁ କରେ ଅନୁଶୀଳନ
ଭରେ ଆଶା ଓ ବିଶ୍ବାସ ।
ଆତ୍ମାର ନିର୍ଦ୍ଦେଶରେ
ଶରୀରର କର୍ମ ହିଁ
ତାକୁ ଦେଇପାରେ
ସ୍ବର୍ଗ ଅବା ନର୍କ
ବନ୍ଧନ ଅବା ମୁକ୍ତି,
ଶରୀର ଜଡ
ତା'ର ସତ୍ତା
ସର୍ବ ଚୈତନ୍ୟମୟ ଦୀପ୍ତି
ସେ ଆତ୍ମା
ସେ ଅମୂର୍ତ୍ତ
ସେ ପୁଣି ଶକ୍ତି ।।