ଆସ୍ଫାଳନ
ଆସ୍ଫାଳନ
ମୃତ୍ୟୁ ଯଦି କେଉଁଦିନ ଡାକିନିଏ ମୋତେ
କୁହ କେହି ପାରିବକି ରୋକି
କେତେ କା'ରେ ଦେଲିନେଲି ସମୟ କହିବ
ଆଉ ଯାହା ରହିଯିବ ବାକି ।
ସଙ୍ଗତରେ ମୋର ବୋଲି ଯିବେନାହିଁ ଜଣେ
ଯେତେ ସବୁ ପ୍ରିୟ ପରିଜନ
ବାହୁନି କାନ୍ଦିବେ ବସି ଦିନେ କି' ଓଳିଏ
ଯେବେ ମୁହିଁ ଚଳିବି ଶ୍ମଶାନ ।
ଧର୍ମ ଦାଣ୍ଡେ ଚାଲିଥିବ ହିସାବ ନିକାଶ
କିଏ କେତେ ଦେଖେଇ କହିବେ
ଯେତେ ସବୁ ରଟୁଥିଲେ ନିନ୍ଦା ଅପବାଦ
ମଲାପରେ ସୁଗୁଣ ଗାଇବେ ।
ସରିଯିବ ଅଭିନୟ ଏ' ଧରା ଧାମରେ
ଫେରିବାର ହୋଇଲେ ଆଗତ
କାଳଗର୍ଭେ ସବୁକିଛି ହୋଇଯିବ ଲୀନ
ଯାହାକିଛି ହୋଇଛି ପ୍ରାପତ।
ଦୁଇନିଆଁ ନେଇ ଏଠି ଚାଲିଛି ଦୁନିଆଁ
ଆଉସବୁ ଅଳିକ ସପନ
ମୋର ମୋର କହିସବୁ ଦିନେତ ମରିବେ
କାହିଁପାଇଁ ବୃଥା ଆସ୍ଫାଳନ ।