ଆସନ୍ତ କି ତୁମେ ଫେରି
ଆସନ୍ତ କି ତୁମେ ଫେରି
ଅନାଥ ନିରେଖ ଲାଗୁଅଛି ଆଜି
ସବୁ କିଛି ଶୂନ୍ୟ ଲାଗେ,
ଆହା ପଦେ କିଏ ନାହିଁ କହିବାକୁ
ତୁମଠୁଁ ଆପଣା ଭାବେ।
ଆଶ୍ରାହୀନ ଆଜି ଫୁଙ୍ଗୁଳା ମୁଁ ସତେ
ନଙ୍ଗଳା ଫକିର ପ୍ରାୟେ,
ତୁମେ ଗଲା ପରେ ଏହିଭଳି ଆଜି
ମନ ମୋ ବିବ୍ରତ ହୁଏ।
ଆସନ୍ତ କି ଫେରି ପୁଣି ଦୟାକରି
ସେ ପାରିରୁ ଆଉଥରେ,
ଯଦି ଆସିଯାନ୍ତ ରଖନ୍ତି ତୁମକୁ
ମୋର ବାହୁ ବନ୍ଧନରେ।
ମଥାରୁ ମୋ ଛତା ଦୂରେ ଉଡ଼ି ଗଲା
ବତାଶକୁ ଲାଗେ ଡର,
ଚାଲିଗଲ କେଉଁ କାର୍ଯ୍ୟ ପାଇଁ ତୁମେ
ମୋତେ କରିଦେଇ ପର ।
ଆଉ କି ପାଇବି ତୁମପଦ ତୀର୍ଥ
ତୁମର ଅନୁଶାସନ,
ପାଇବିନି କେବେ ଆଉ ଶୁଣିବାକୁ
ସ୍ନେହ ଆଦର ବଚନ।
ପିଲା ହୋଇ ମୁହିଁ ଆଜିଯାଏ ଥିଲି
ତୁମେ ପାଖେ ଥିଲ ବୋଲି,
ଆଜି ଏ ଦାୟୀତ୍ବ ମୋ ହାତେ ସମର୍ପି
ସେ ପାରିକୁ ଗଲ ଚାଲି।
କେମିତି ଏ ରାଜ୍ୟ ଚଳେଇବି ବାପା
ବୁଦ୍ଧି ବାଟ ଦିଶୁନାହିଁ,
ବୋଉ ମୁହଁ ଦେଖି ଫାଟିଯାଏ ଛାତି
କେମିତି ସହିବି ମୁହିଁ ।
ଅନ୍ୟକୁ ବୁଝାଏ ଧୈର୍ଯ୍ୟ ଧରିବାକୁ
ନିଜେ ଆଜି ପାରୁନାହିଁ,
ଜାଣୁଛି ଏ ଦୁଃଖ ଠାରୁ ବଡ଼ ଦୁଃଖ
ଜୀବନରେ କିଛି ନାହିଁ।
ଥୁଣ୍ଟା ଗଛଟିଏ ଆଜି ସତେ ମୁହିଁ
ନାହିଁ ମୋଠିଁ ଜୀବ ଆତ୍ମା,
ଠିକ୍ ସେଇଭଳି ଅନୁଭୂତ ହୁଏ
ତୁମେ ଗଲା ଦିନୁଁ ବାପା।
ବାପାଙ୍କ ବିଚ୍ଛେଦ ପ୍ରତି ସନ୍ତାନକୁ
ଦୁଃଖ ଦିଏ ଜାଣିଥିଲି,
କିନ୍ତୁ ନିଜେ ଏହି ଅସହ୍ୟ ଦୁଃଖକୁ
ଆଜି ଅନୁଭବ କଲି।
ବସାହୀନ ପକ୍ଷୀ ପ୍ରାୟେ ମୁହିଁ ଆଜି
ବାସ ଖୋଜି ପାଉନାହିଁ,
ଆଶ୍ରା ଦେଇଥିବା ବୁଢ଼ା ବରଗଛ
ସେ ଆଜି ପାଖରେ ନାହିଁ।
ବାପାଥିଲ ବୋଲି ବାଟ ଚାଲୁଥିଲି
ସାହସ ଦମ୍ଭ ମୋ ଥିଲା,
ଆଜି ମୋର ସବୁ ଟାଣ ଅହଂକାର
କୁଆଡେ ଉଭେଇଗଲା।
ଜାଣୁଛି ମୁଁ ଆଜି ଆଉ ଫେରିବନି
ଅଫେରା ବାଟୋଇ ତୁମେ,
ତଥାପି ହେ ବାପା ତୁମ ବିଚ୍ଛେଦରେ
କେମିତି ବଞ୍ଚିବୁ ଆମେ ।
ଯହିଁ ଯାଅ ଇଚ୍ଛା ନାହିଁ କିଛି ବାଧା
ତୁମକୁ କେ ରଖିପାରେ,
ତୁମେ ତ ପରମ ଠାକୁର ମୋ ପାଇଁ
ମିଶିଯାଅ ପରମରେ।
ବଡଠାକୁର ଶ୍ରୀ ବଳଦେବଙ୍କର
ତୁମଠାରେ କୃପା ହେଉ,
ଆତ୍ମାଟି ତୁମର ସଦଗତି ହେଉ
ବୈକୁଣ୍ଠରେ ସ୍ଥାନ ପାଉ।