ଆସିଲେ ସେ ଆସେ ମଧୁରବେଳା
ଆସିଲେ ସେ ଆସେ ମଧୁରବେଳା
ଆସେ ସିଏ, ଆସି
ପକ୍ଷୀମାନଙ୍କୁ ସେ ଶିଖାଏ ଗୀତ
କହେ କାନେ କାନେ
ସଅଳ ଉଠିବା ଦେହକୁ ହିତ ।
ଆସେ ସିଏ, ଆସି
ଫୁଲ ପାଖୁଡ଼ାକୁ ଦିଏ ସେ ଖୋଲି
ତରତର କରେ
ଚଷାକୁ କ୍ଷେତକୁ ଆସିବ ବୋଲି ।
ଆସେ ସିଏ, ଆସି
ସବୁଠି ଆଲୋକ ଦିଏ ସେ ବୁଣି
ଆଣିଥାଏ ସାଥେ
ଶୀତଳ,ସତେଜ ପବନ ପୁଣି ।
ଆସେ ସିଏ, ଆସି
ତୁଟାଏ ସଭିଙ୍କ ଶୋଇବା ସୁଖ
କହେ ଯାଅ ଉଠି
ଯାଇ ବେଗେ ଆଗ ପଖାଳ ମୁଖ ।
ଆସେ ସିଏ, ଆସି
ଦେଉଳ ଦୁଆର ଫିଟାଏ ଯାଇ
ଡାକି ଆଣେ ପୁଣି
ଭକତଙ୍କୁ ଦିଅଁ ଦେଖିବା ପାଇଁ ।
ଆସେ ସିଏ, ଆସି
ଘାଟିଆକୁ ନେଇ ଜଗାଏ ଘାଟ
ବାଟୋଇକୁ ହସି
ଫେରାଇ ଦିଏ ତା' ହଜିଲା ବାଟ ।
ଆସେ ସିଏ, ଆସି
ଚାଟକୁ ଗୁଣାଏ ଦୁଇରେ ଚାରି
କହେ ଘରେ ଘରେ
ବାସି କାମ ସବୁ ଦେବାକୁ ସାରି ।
ଆସେ ସିଏ ନିତି
ଆସିବାକୁ କେବେ କରେନି ହେଳା
ନାଆଁ ତା' ସକାଳ
ଆସିଲେ ସେ ଆସେ ମଧୁରବେଳା ।