ଆସିଛି ଶୀତ
ଆସିଛି ଶୀତ
ପାଉଁଶିଆ ଦିଶୁଅଛି ସକାଳ ଓ ସଞ୍ଜ
ହେମାଳିଆ କୁହୁଡି କାକର
ମୋଡୁଛି ବାଘୁଆ ନିଶ
ପଉଷର ହାଡ଼ଭଙ୍ଗା ଜାଡ
ଲହରଇ ପକ୍ୱଶାଳି ସୁନାର ଫସଲ
ହସି ଉଠେ ଖେତଖଳା ସୋରିଷ କିଆରୀ
ଜାତି ଜାତି ଗେଣ୍ଡୁଫୁଲ ଦିଶଇ ଉଜ୍ଜ୍ୱଳ
ଚହଟଇ ପୁଷ୍ପରାଗେ ଉପବନ ବନ
ଉଙ୍କିମାରେ ମନତଳେ ଚେନାଚେନା ସ୍ୱପ୍ନ ।
ତଲ୍ଲୀନ ମୋ ପ୍ରାଣପକ୍ଷୀ ନୀରବ ବି ପିକ
ବିଭୋର ସେ ଆନମନା
ଗୁଣୁ ଗୁଣୁ ଗାଏ ବସି ଜୀବନ ସଙ୍ଗୀତ
ସରାଗରେ ଜଡସଡ
ଶୋଭା ଅନୁରାଗ ବୁଣି ଆସିଅଛି ଶୀତ
ଖୋଜେ ସାଥୀ ହଜିଲା ମଧୁର ସ୍ମୃତି
ସୁଖ ଦିନ ପରଶ ବସନ୍ତ ।
ଆସ ବନ୍ଧୁ ଉଠିବା ସଅଳ
ଶୁଷ୍କ କିଛି ସାଉଣ୍ଟିବା ଡାଳପତ୍ର
ଯୋଗାଡିବା ଉତ୍ତାପ ମଧୁର
ଜମାଇବା ଶୀତର ଆସର
ମିଠା ମିଠା କଥା ହେବା
ମନ ଖୋଲି ହେବା ଗପସପ
ଗୁଣୁ ଗୁଣୁ ଗାଇବା ସଙ୍ଗୀତ
ଶୀତ ସୁନା ସକାଳକୁ ହେ ସତୀର୍ଥ
ଜଣାଇବା ଆସ ହେ ସ୍ୱାଗତ ।
-----