ଆଶ୍ରମେ ସୀତା
ଆଶ୍ରମେ ସୀତା
ଜଗତ ଜନନୀ ଜନକ ନନ୍ଦିନୀ।
ଜାନକୀ ଜୀବନ ଗାଥା,
ବାଲ୍ମିକୀ ମହର୍ଷି ଆଶ୍ରମ ତପସ୍ୱୀ
ମାନଙ୍କ ଗହଣେ ସୀତା,
ସୁଜନେ,
ରାମାୟଣେ ଆମ କଥା,
ମାନବ ଜୀବନେ ଛାଇପରି ଦୁଃଖ
ନିୟତିକୁ ନତ ମଥା।
ପାଦପ ଜଳ ପ୍ରଦାନ ପ୍ରାତ ସ୍ନାନ
ମୃଗ ଶାବକଙ୍କ ସେବା ,
ପୁଷ୍ପ ତୋଳି ଆଣି ପୂଜାକୁ ପ୍ରସ୍ତୁତ
ଅର୍ଘ୍ୟ ହିମାଂଶୁଙ୍କୁ ଦେବା,
ସୁଜନେ,
ସୀତା ଙ୍କର ଦୈନ୍ୟ କାର୍ଯ୍ୟ
ଗର୍ଭସ୍ତ ସନ୍ତାନ ମଙ୍ଗଳ କାମନା
ଆଣି ଛାଡ଼ିଗଲେ ଆର୍ଯ୍ୟ।।
ମହାଦେବୀ ଜଳ ସିଞ୍ଚନ କରନ୍ତି
ପାଦପ ହୁଅନ୍ତି ତୃପ୍ତି,
ପରସରେ ହସ୍ତ ପୁଷ୍ପ ପଲ୍ଲବିତ
ବୃକ୍ଷ ଉଲ୍ଲସିତ ଦୀପ୍ତି,
ସୁଜନେ,
ଚାରୁ ସୁଷମା ଭଣ୍ଡାର
ସ୍ଵୟଂ ମନ୍ଦାକିନୀ ସ୍ଵହସ୍ତର ଜଳ
ପାଦପ ନବ ସମ୍ଭାର।।
ନିଜ ମାତା ଭୂଲି ମୃଗ ଶାବକଏ
ଜଗତ ଜନନୀ ପାଶେ,
ପିଠି ଆଉଁସେଇ ତୃଣ ଖୋଇଦେଇ
ପାଳନ୍ତି ବାତ୍ସଲ୍ୟ ରସେ ,
ସୁଜନେ,
ଦିବ୍ୟ ହସ୍ତ ସ୍ପର୍ଶ ପାଇ,
ଆଶ୍ରମ ଜୀବନ ପଶୁପକ୍ଷୀ ତାନ
ସୁରଭୀ ସଂଗୀତ ଗାଇ।।
ଦିବ୍ୟ ଦ୍ରଷ୍ଟା ୠଷି ପ୍ରଫୁଲିତ ଖୁଶି
ଦୁହିତା ସୀତାଙ୍କୁ ପାଇ,
ସଯତ୍ନରେ ନିତି ବ୍ୟବସ୍ଥା କରାନ୍ତି
ଚରୁ ପ୍ରସ୍ତୁତିରେ ଯାଇ,
ସୁଜନେ,
ନାରିକେଳ ଜଳ ପାନ
ଗର୍ଭସ୍ଥ ଶିଶୁର ସ୍ଵାସ୍ଥ୍ୟ ସୁରକ୍ଷାରେ
ବାଲ୍ମିକୀ ରଖନ୍ତି ଧ୍ୟାନ।।
ସଂଜ ସକାଳରେ ତପସ୍ଵିନୀ ମାନେ
ଭ୍ରମଣ କରାନ୍ତି ବନ,
ପକ୍ଷୀଙ୍କ କାକଳି କେକା ରାବ ସାରୀ
ବୋଲେ ସୀତା ସୀତା ମନ,
ସୁଜନେ,
ପରିଚିତା ଡାକ ପରିଟା
ଆତୁର ନୟନେ ମାତା ନିରଖନ୍ତି
ସହଚରୀ କୁହେ ସାରୀଟା।
ହରିଣ ହରିଣୀ ପାଖୁ ଆସି ପୁଣି
ଲାଞ୍ଜ ହଲେଇ ଚାହାନ୍ତି,
କରଞ୍ଜ ଫୁଲତା ପାଖୁଡ଼ା ଝରାଏ
କୋଇଲି ତାନ ମାରନ୍ତି,
ସୁଜନେ,
ଶୁଖିଲା ପତର ଝାଡି
ବନ ଦେବୀଙ୍କର ସ୍ବାଗତ ସତ୍କାର
ବଣ କୋଳିମାନ ବାଢ଼ି।