ଆସ କହିବି ତୁମକୁ ପୂଜୁଛି କେମିତି
ଆସ କହିବି ତୁମକୁ ପୂଜୁଛି କେମିତି
ଆସ କହିବି ମୋ ଜୀବନର କଥା
କେମିତି ଛାତି ଭିତରେ ଏଠି
ଟିକ ଟିକ କରୁଛି ହୃଦୟର ଘଣ୍ଟା
ଉଦାସ ସବୁ ଯନ୍ତ୍ରଣା ହୋଇ
ଚିରି ପକାଉଛି ଛାତିର ପରଦା
ଶବ୍ଦର ପ୍ରତିଧ୍ଵନିରେ
ଦୁଲୁକି ଉଠୁଛି ଛାତିତଳ ବ୍ୟଥା
ଦଲକାଏ ଦଲକାଏ ପବନ ଭଳି
ତୁମ ସ୍ମୃତି
ଭାଙ୍ଗି ଦେଉଛି ମୋ ମନର ଝରକା |
ଏଠି ତାରାଙ୍କ ଝଲମଲ ନାହିଁ
ଜହ୍ନ ବି ଉଏଁନା,ଅମାବାସ୍ୟା ସବୁଦିନ
ବଗିଚାରେ ଫୁଲ ଫୁଟେନା କେଉଁଠି
ମୁଁ ତୁମକୁ ଭଲ ପାଉଛି
ଅଥଚ ତୁମ ପାଦ ପଡୁନି ଏଠି |
ହୃଦୟର କାରାଗାରେ ମୁଁ ବନ୍ଦୀ
ମୋ ଗୋଡ଼ରେ ପ୍ରେମର ଶିକୁଳି ଲାଗିଛି
ମନ ଉଡ଼ା ଦେଉଛି
ପ୍ରଣୟର ବେଦ ପଢ଼ି
ଅମୃତ ଭଳି ବେଦନାର ବିଷ ପିଉଛି
ହୃଦୟ ଯୋଡ଼ି ତୁମ କଥା ଭାବି ଭାବି
ମନ ଝରକାରେ
ପ୍ରଣୟର ଚାରୁକଳା ଦେଖୁଛି|
ତୁମେ ଆସିଲେ କହିବି
ସମୟ କେମିତି ମୋତେ ଘୋସାରିଛି
ଅନ୍ଧାର କେମିତି ବାଟ ଓଗାଳୁଛି
ବସନ୍ତ ସବାର ହେଲେ ବି ଦେହ ଝାଉଁଳି ପଡୁଛି
ଏକଲାପଣ ଛାଇ ପରି ପଛେ ପଛେ ଗୋଡାଉଛି|
ବିରହକୁ ପ୍ରଣୟର ଅଣ୍ଟାସୂତା କରି
କଟିରେ ଗୁଡା଼ଇହୋଇ ପିନ୍ଧିଚି
ଆଖିରେ ପ୍ରେମର ଅନ୍ଧ ପୁଟୁଳି ବାନ୍ଧି
ପ୍ରଣୟର ଗଜଲ ଅନ୍ଧାରେ ଗାଉଛି |
ପ୍ରେମର ଦରବାରେ ଦେହ ଏବେ ମନ୍ଦିର
ହୃଦୟ ମୋର ସିଂହାସନ
ମନର ଦେବତା ତୁମେ
ଆତ୍ମାର ସହୋଦର
ଆସ ମୁଁ କହିବି, ତୁମ ପ୍ରେମରେ
ପୁଜାରିଣୀ ହୋଇ କେମିତି ପୂଜୁଛି
ମୁଁ,ପ୍ରେମର ଭଗବାନ |