ଆରାଧନା
ଆରାଧନା
ଯାହା ପୂଜାର୍ଚ୍ଚନେ ଯାଉଥିଲି ଭାଳି
ପାଇବାକୁ ସନ୍ନିଧାନ
ନିର୍ବିକାର ହୋଇ ଯୋଗେଶ୍ବର ଭଳି
କରୁଥିଲେ ସିଏ ଧ୍ୟାନ ।
ତାଙ୍କରି ଚରଣେ ପୂଜିଲେ ବଦନ
ଲୋତକରେ ଯାଏ ତିନ୍ତି
ବୁଝି ମୁଁ ପାରେନି ସିଏ ବି କାହାକୁ
ଧ୍ୟାୟନ୍ତି ଅନ୍ତରେ ଚିନ୍ତି !
ସମ୍ମୁଖରେ ତାଙ୍କ ବସୁ ବସୁ ସତେ
ବିଚଳିତ ହେଲି ଥରେ
କାହା' ଆରାଧନା ଜିଜ୍ଞାସାରେ ମୋର
ମନେ ବ୍ୟାକୁଳତା ଭରେ ।
ଭକ୍ତି ଭାବ ରଖି ମୁଁ ପଛେ ପୂଜଇ
ନିଶିଦିନ ପାଦତଳେ
ଆଚମ୍ବିତ କେତେ କରିବ ବିଧାତା
ଏ ଦୃଶ୍ୟ ଦେଖାଇ ଛଳେ ?
ଧ୍ୟାନମୁଦ୍ରା ତାଙ୍କ ଭାଙ୍ଗେ ଅଚାନକ
ଆଖିର ପଲକ ଖୋଲି
ହସମୁଖ ହୋଇ ଲକ୍ଷ୍ୟ କଲେ ସିଏ
ମଧୁର ବଚନ ବୋଲି ।
ତୁମେ ମୋ' ଆରାଧ୍ୟା ସଙ୍କଳ୍ପେ ରହିଛ
କଳ୍ପେ କଳ୍ପେ ଅନୁଭବେ
ସାନ୍ନିଧ୍ୟେ ତୁମରି ସ୍ଥିତି ଲୟ ମୋର
ପରିପୂର୍ଣ୍ଣତା ମୁଁ ଲଭେ ।
ଫଳବତୀ ହେଲା ଦୀର୍ଘସାଧନା ମୋ'
ସାର୍ଥକ ହୋଇଛି ଶ୍ରମ
ତାଙ୍କର ଉଦାର ମଞ୍ଜୁଳ ଛାୟାରେ
ତିଳେହେଁ ନଥିଲା ଭ୍ରମ ।
ଆଶଙ୍କା ଭିତରେ ନିଜ ତ୍ରୁଟି ପାଇଁ
ଅନୁତାପ କରେ କ୍ଷଣେ
ସର୍ବସ୍ବ ତତ୍କାଳେ ସମର୍ପି ଦେବାରେ
ସଙ୍କୋଚ ନଥିଲା ମନେ ।

