ଆର ଜନମରେ
ଆର ଜନମରେ
ଖାଲି ଖାଲି ଲାଗେ ହୃଦୟଟା ମୋର
ଖୋଜିବସେ ତୋତେ ସାଥି
ଜୀବନ ଆକାଶେ କଳାମେଘ ଘୋଟେ
ଛଳନାରେ ହୁଏ ରାତି।
ଶୂନ୍ୟ ମନ୍ଦିରରେ କିବା ଆରାଧନା
କାହିଁ ପୂଜା ଅରଚନା
ଦେବହୀନ ପୀଠ ନରକ ସମାନ
ମିଳେତ ଖାଲି ଲାଞ୍ଛନା।
ହୃଦୟ ମନ୍ଦିରେ ଦେବତା ସଜାଇ
ପୂଜୁଥିଲି ନିତି ନିତି
ଦେବଦାସୀ ସାଜି ଅର୍ଘ୍ୟ ଦେଉଥିଲି
କରୁଥିଲି ନିତି କାନ୍ତି।
ପ୍ରେମର ଫୁଲକୁ ତୁମ ଚରଣରେ
ଦେଉଥିଲି ପୁଷ୍ପାଞ୍ଜଳି
ପ୍ରୀତିର ଦୀପାଳି ଜାଳି ଦେଉଥିଲି
ଆରତୀ ମନ୍ତର ବୋଲି।
ତୁମେ କିନ୍ତୁ ଆଜି ଦୂରେଇ ଯାଇଛ
ଶୂନ୍ୟ ହେଇଛି ମନ୍ଦିର।
ପ୍ରେମର ନୀଡ଼ ତ ଖାଲି ପଡ଼ିଅଛି
ନିଃସଙ୍ଗ ଜୀବନ ମୋର।
ବାସି ଫୁଲ ଭାବି ଆଡେଇଲ ମୋତେ
ଘୃଣାକୁ ନେଲି ଆଦରି
ତୁମ ଖୁସି ପାଇଁ ଗରଳ ପିଇଲି
ପ୍ରେମରେ ବାନ୍ଧିଲି ଡୋରି।
ରୁହ ଯେଉଁଠାରେ ଦୁଃଖ ନାହିଁ ମୋର
ହସୁଥାଅ ନିରନ୍ତର
ଆୟୂଷ ସିନ୍ଦୂର ତୁମର ନାମରେ
ଶୋଭାପାଉ କା' ମଥାରେ।
ଯୋଗ୍ୟ ନୁହେଁ ବୋଧେ ତୁମ ପ୍ରେମ ପାଇଁ
ଅଧାବାଟେ ଛାଡିଦେଲ
ଅଭିଶାପ ନୁହେଁ ଶୁଭେଚ୍ଛା ତ ଦେବି
ଜୀବନେ ଉନ୍ନତି କର।
ଗୋଟିଏ ଜନ୍ମରେ ସରେନି ତ ପ୍ରେମ
ଜନ୍ମଜନ୍ମ ବିତିଯାଏ
ବିଶ୍ବାସ ଅଟଇ ସମ୍ପର୍କର ସେତୁ
ଅଟଇ ଅଖଣ୍ଡ ସିଏ।
ଏ ଜନ୍ମରେ ମୋତେ ତୁମ ପାଇଁ ପରା
ଭାଗ୍ୟରେ ଲେଖିନି ବିହି
ଅପେକ୍ଷାରେ ଥିବି ଆର ଜନମରେ
ସାଥି ହେବି ପରା ମୁହିଁ।