ଆଲିଙ୍ଗନ ଦିବସ
ଆଲିଙ୍ଗନ ଦିବସ


ଅନ୍ବେଷଣ ପଥେ ବାନ୍ଧି ହୋଇ ଆଜି
ଘୁରେ ଦିନ ପରେ ଦିନ
ଆଲିଙ୍ଗନ କଥା ଝୁରି ହେଲେ ମଧ୍ୟ
ପାଏନି ପ୍ରେୟସୀ ମନ ।।
କ୍ରମାନ୍ବୟ ଭାବେ ପ୍ରେମ ସପ୍ତାହରେ
କବିତା ହେଉଛି ଲେଖା
ହଠାତ୍ ମନେପଡେ ସେ ପିଲାବେଳ
ତୁମ ସହ ସେଇ ଦେଖା ।।
ନଈ ପଠାର ସେ ବାଲି ଘର ଖେଳ
ଭୁଲି କି ଯାଇଛ ତୁମେ
ସାଙ୍ଗହୋଇ ସେବେ ଆଲିଙ୍ଗନ ସହ
ଖେଳୁଥିଲେ ପରା ଆମେ ।।
ଜେଜେମା କଳ୍ପିତ ରାଜ ଉଆସରେ
ରାଜାରାଣୀ ଗେଲ ଖେଳ
ସେସବୁ କଣ ଏବେ ଫେରି ଆସିବ
ଭାବିଲେ ଲାଗୁଛି କାଳ ।।
ସାଙ୍ଗସାଥି ମେଳେ ସେଇ କିଳିବାଡି
ରଡା ରଡି, ଭିଡା ଭିଡି
କୁହୁ କୁହୁ ତାନେ କୋଇଲିର ସ୍ବରେ
ଆମେ ଦେଉଥିଲେ ରଡି ।।
ଭାଗବତ ଠୁଙ୍ଗି ଦିନେ ସାକ୍ଷୀ ଥିଲା
ଆମ୍ବ ବଗିଚାର ତଳେ
କୁଳୁ କୁଳୁ ସେଇ ନଦୀର ଧାରରେ
ଗୀତ ଗାଉଥିଲେ ତାଳେ ।।
ଭାସି ଗଲେ ଆମେ ଆଗକୁ ଆଗକୁ
ପଛକୁ ଫେରିଲେ ନାହିଁ
ସମୟ ବି ଏଣେ ଆଲିଙ୍ଗନ କଲା
ସଂସାର ପାଳିବା ପାଇଁ ।।
ଜୀବନ ଚକ୍ରରେ ଛନ୍ଦି ହେଲା ପରେ
ଅତୀତ ଆମକୁ ଝୁରେ
ଆଲିଙ୍ଗନ ସାଥେ ପ୍ରେମ ପରିଭାଷା
ଲାଗେ ଆଜି ବହୁ ଦୂରେ ।।
ଆଜିର ଦିବସେ କରି କି ପାରିବ
ବାହୁ ବନ୍ଧନରେ ବନ୍ଦୀ
କୋମଳ ପରଶେ ହଜି ଯିବି ସାଥୀ
ହାତରେ ହାତକୁ ଛନ୍ଦି ।।
ଥମି ଯିବ ଏଇ ଛାତିର ସ୍ପନ୍ଦନ
ପାହିଯିବ କାଳ ରାତି
ଜିଇଁ ଯିବା ବାକି ଥିବା ଏ ଜୀବନ
ସାଥିରେ ସାଉଣ୍ଟା ସ୍ମୃତି ।।