ଆଖି ଲୁହ
ଆଖି ଲୁହ
ଅମାନିଆଁ ଆଖିଲୁହ,ଡେଇଁ ଯାଏ ଆଖି ପରିଧିକୁ,
ଧୋଇଦିଏ ଓଠଧାରେ ଖେଳୁଥିବା ଚେନାଏ ହସକୁ,
ଉଛୁଳା ନଈର ଧାର କୂଳ ଲଙ୍ଘି,
ସୁନାର ଫସଲକ୍ଷେତ ଭସେଇଲାପରି।
ଯେତେ ବାରଣ କଲେବି କଥା ଶୁଣେନାହିଁ।
ଡେଇଁଯାଏ ଲଖ୍ମଣରେଖାକୁ,
ଅମାନିଆଁ କୁଳବଧୂ ,
ମର୍ଯ୍ୟାଦା ଏରୁଣ୍ଡିବନ୍ଧ ଡେଇଁ ଗଲାପରି।
କିନ୍ତୁ? ସେ ଜାଣେନା,
କହିଦେବା କଥା ଆଉ ବହିଗଲା ପାଣି ପରି,
ଥରେ ଗଲେ ଆଉ ଫେରି ଆସିବନି ବୋଲି।
ନଈ ଭଳି ସାଗରରେ ମିଶିଯିବ,
ହଜେଇବ ନିଜର ଠିକଣା।
ଯେତେ ତାକୁ ଖୋଜିଲେବି,
ଜୀବନର ଲମ୍ବା ରାସ୍ତା ନିଅଣ୍ଟ ପଡିବ।
ବୁଡିଯିବା ସାର ହେବ,
ଅବସାଦର ଅତଳ ଗଭୀର ସାଗରେ।
* *
ଯେତେବେଳେ ମୋ ଆଖିଲୁହ,
ଆଖିର ଏରୁଣ୍ଡି ଡେଇଁ,
ବାହାରକୁ ଯିବାପାଇଁ ପାଦ ବଢାଇଲା,
ମନା କଲି ତାକୁ।
କହିଲି ମୋ ଅନ୍ତରର ବ୍ୟଥା।
ହେ ମୋର ଆଖିଲୁହ!
ତୁ ତ ମୋର ଏକାନ୍ତ ନିଜର।
ଅନେକ ଅନୁଭବ ଓ ଯନ୍ତ୍ରଣାର,କଷ୍ଟଲବ୍ଧ ଉପାର୍ଜନ।
ଚାହେଁନା ମୁଁ ତୋ ଉପରେ ଆଉ କାହା ଅଧିକାର।
ସାଇତିବାକୁ ମୁଁ ଚାହେଁ ,ସବୁଦିନ ପାଇଁ ତୋତେ,
ମୋ ମନର ସୁନା ଫରୁଆରେ।
ଯାଆନା ତୁ ଡେଈଁ ମୋ ଅଗଣା,
କହନା ତୁ ଅନ୍ୟ ଆଗେ,
ମୋ ମନର ଅକୁହା ବେଦନା।
ନିଜ ଆଖିରେ ମୁଁ ନିଜେ ଛୋଟ ହୋଇଯିବି।
ପାରିବିନି ନିଜ ସାଥେ ନଜର ମିଳାଇ।
ସବୁକଥା କଣ କହିହୁଏ ସମସ୍ତଙ୍କ ଆଗେ?
* *
ମୋ ଦୁଃଖର ଗଣ୍ଠିଲି,ଦୁନିଆଁ ପିଠିରେ ଲଦି,
ଭାରମୁକ୍ତ ହେବା ପାଇଁ ନୁହେଁ ମୋର ସୃଷ୍ଟି।
ନିଜ ଦୁଃଖର ଛାଇରେ,ସମସ୍ତଙ୍କ ସୁଖ ଚନ୍ଦ୍ରମାରେ,
ଗ୍ରହଣ ଲଗେଇବାକୁ ଚାହେଁ ନା ମୋ ମନ।
ବୁଡାଇବାକୁ ଚାହେଁନା,ଦୁନିଆଁ ଖୁସିର ତରୀ,
ମୋ ମନର ଦୁଃଖ ଭଉଁରୀରେ।
ମୋ ଦୁଃଖ ଶିଶିରରେ,ପୋଡିଦେବାକୁ ଚାହେଁନା,
ହସ ଆଉ ଖୁସି ଭରା ସମସ୍ତଙ୍କ ମନ ପଦ୍ମବନ।
ନିଜର ଲୁହ ଦେଖେଇ,
ଅନ୍ୟକୁ ଦୁଃଖୀ କରିବା ନୁହେଁତ ଜୀବନ।
ନିଜ ଦୁଃଖ ନିଜେ ପିଇ,
ଦୁନିଆଁକୁ ହସେଇବା ଜୀବନର ନାମ।
* *
ହେ ମୋର ଆଖି ଲୁହ!
ଅମାନିଆଁ ହୁଅନା ତୁ ରହିଯାଆ ମୋ ଆଖି ଭିତରେ।
ତାହେଲେ! ମୁଁ ହସୁଥିବି।
ସମସ୍ତଙ୍କ ମନ ଅଗଣାରୁ,ଦୁଃଖ ସାଉଁଟିବି।
ରହିବୁତ ମୋ ସାଥିରେ?
ସମସ୍ତଙ୍କ ମନ ଉପବନୁ,
ତୋଳିବାକୁ ହସର ଗୋଲାପ?
ହସିହସି ପିଇବାକୁ ଆଖିଲୁହ ସାରା ଦୁନିଆଁର??