ଆଜି ପଣା ସଂକ୍ରାନ୍ତି
ଆଜି ପଣା ସଂକ୍ରାନ୍ତି
ଢମଣା ଛାଡ଼ିଲା କାତି,
ପରବ ପ୍ରିୟ ମୋ ଓଡ଼ିଆ ଜାତି,
ପର୍ବ ପାଳେ କେତେ ଜାତି l
ଶ୍ରୀକ୍ଷେତ୍ରରେ ନାହିଁ ରାତି,
ରତ୍ନ ସିଂହାସନେ ଚତୁର୍ଦ୍ଧା ମୂର୍ତ୍ତି,
ଆଜି ପଣା ସଂକ୍ରାନ୍ତି l
ବଇଶାଖେ ବଡ଼ ଖରା,
ଆଜି ଆମ ନୂଆ ବରଷ ପରା,
ମଙ୍ଗଳା ଝାମୁ ଯାତରା l
ଘରେ ଘରେ ବେଲ ପଣା,
ବସନ୍ତରା ଠେକି ପଛରେ କଣା,
ବହେ ଜଳର ଝରଣା l
ଦାଣ୍ଡରେ ଘଣ୍ଟ ପାଟୁଆ,
ରଣପା ନାଚରେ ଶାରଳା ମାଆ,
ଘଣ୍ଟ ବାଜେ ଢାଆଁ ଢାଆଁ l
ଶରଶଯ୍ୟା ପରେ ଭୀଷ୍ମ,
ପାଶେ ତାଙ୍କ ଛିଡ଼ା ପାର୍ଥ ଶ୍ରୀକୃଷ୍ଣ,
ଜଳ ପିଇବେ ସତୃଷ୍ଣ l
ବାଣ ବିନ୍ଧି ଅରଜୁନ,
ଜଳ ପିଆଇଲେ ଗଙ୍ଗା ନନ୍ଦନ,
ଗ
ଙ୍ଗା ଭୂମିରୁ ଉତ୍ଥାନ l
ମହାନ ହିନ୍ଦୁ ସମ୍ରାଟ,
ଆସନେ ବସିଲେ ବିକ୍ରମାଦିତ୍ୟ,
ଉଜ୍ଜୟିନୀ ନାମ ଖ୍ୟାତ l
ଚଢ଼େଇଆ ଚଢ଼େୟାଣୀ,
ଗଞ୍ଜାମରେ ଦଣ୍ଡ ଯାତ୍ରା ହେଲାଣି,
ପୁଣି ଯାତ୍ରା ଠାକୁରାଣୀ l
ନାହାକ ପଢ଼ିଲେ ପାଞ୍ଜି,
ବହିଲାଣିି ମଣି ! ବିଷମ ଝାଞ୍ଜି,
ଭରସା ମାତର କାଞ୍ଜି l
ଜନ୍ମ ଲଭିଲେ ମାରୁତି,
ଲଙ୍କା ଜଳିଗଲା କେଡ଼େ ଝଟତି,
ପାପେ ସିନା ଏ ଦୁର୍ଗତି l
ବିଷୁବ ମଣ୍ଡଳେ ଗତି,
ସପ୍ତାସ୍ଵ ବାହନେ ଛାୟାଙ୍କ ପତି,
ବିଷୁବ ଏହି ସଂକ୍ରାନ୍ତି l
ବାଛି ବାଛି କରି ଦିନ,
ଉତ୍କଳରେ ନବବର୍ଷ ପାଳନ,
ଜୟ ଜୟ ନୀଳାଦ୍ରି ମଣ୍ଡନ l